ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୁଲାଇ ୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହାତରେ ଆଉ ମାତ୍ର ୨୦ଦିନ ଥିବାରୁ ରଥଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ନୂଆ ସରକାର ପାଇଁ ରଥଯାତ୍ରା ପରିଚାଳନା ପ୍ରଥମ ବଡ଼ ଚାଲେଞ୍ଜ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ସଚିବ ପି.କେ ଜେନା ଓ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ଡାକି ଟିକିନିଖି ବୁଝିଛନ୍ତି। ବୈଠକରେ ଶୃଙ୍ଖଳିତ ରଥଯାତ୍ରା ସହ ଭିଡ଼କୁ ନିୟନ୍ତ୍ରଣ କରିବା, ସେବାୟତଙ୍କ ସହଯୋଗରେ ସବୁ ନୀତିକ୍ରାନ୍ତି ଠିକ୍ ସମୟରେ ଶେଷ କରିବା, ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ବ୍ୟବସ୍ଥିତ କରିବା ଉପରେ ଆଲୋଚନା ହୋଇଥିଲା। ଚଳିତବର୍ଷ ଦୁଇ ଦିନ ରଥଯାତ୍ରା ପଡ଼ୁଥିବାବେଳେ ୧୩ଦିନିଆ ଅଣସର ପଡ଼ୁଛି। ଗୋଟିଏଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓ କୁସୁମି ଲାଗି ଆଦି ନୀତିକ୍ରାନ୍ତି ହେବାର ଅଛି। କିପରି ଏହାକୁ ସୁରୁଖୁରରେ କାର୍ଯ୍ୟକାରୀ କରାଯିବ, ସେନେଇ ରାଜ୍ୟ ସରକାର ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି।

ବୈଠକ ପରେ ମୁଖ୍ୟ ଶାସନସଚିବ ପି.କେ ଜେନା କହିଛନ୍ତି , ରଥଯାତ୍ରା ପାଇଁ ପ୍ରଥମେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ‌ହେବ। ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଏହି ବ୍ୟବସ୍ଥା ସହ ନୂଆ ଥିବାରୁ ଆମେ ଆଜି ରଥଯା‌ତ୍ରା ଏବଂ ଏହାର ପ୍ରସ୍ତୁତି ନେଇ ସବିଶେଷ ସୂଚନା ଦେଇଥିଲୁ। ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବି ଆଲୋଚନା ହୋଇଛି। ପୁଲିସ ଡିଜି ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସୂଚନା ଦେଇଥିବାବେଳେ ରଥଯାତ୍ରା ପରିଚାଳନାରେ ଅଭିଜ୍ଞତା ଥିବା ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ବି ଦାୟିତ୍ବ ସମ୍ପର୍କରେ କହିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହ ବୈଠକ କରିବେ। ଆଜିର ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର