ପୁରୀ: ଅଘଟଣ ଶୂନ୍ୟ ହେବ ରଥଯାତ୍ରା। ଦିବ୍ୟ ଅନୁଭବ ନେଇ ଫେରିବେ ଭକ୍ତ। ଚଳିତବର୍ଷର ରଥଯାତ୍ରା ଏକ ଉଦାହରଣ ହେବ। ଏଭଳି ପ୍ରସ୍ତୁତି ସରକାର କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୌରସଂସ୍ଥାର ଟାଉନ୍‌ ହଲରେ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସେ କହିଛନ୍ତି ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମ ସଂସ୍କୃତିର ସବୁଠାରୁ ଗୌରବମୟ ପରିଚୟ। କୋଟି କୋଟି ଲୋକଙ୍କ ଭାବାବେଗ ଏଥିରେ ଜଡ଼ିତ। ତେଣୁ ଏହାର ସୁପରିଚାଳନା କେବଳ ଏକ ସରକାରୀ ଦାୟିତ୍ୱ  ନୁହେଁ, ବରଂ ଏକ ପବିତ୍ର କର୍ତ୍ତବ୍ୟ। ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କ ସମନ୍ୱୟ ଓ ସହଯୋଗ ବଳରେ ଏହାର ସଫଳ ପରିଚାଳନା ହୋଇ ପାରିବ।   

Advertisment

‘ଦିବ୍ୟ ଅନୁଭବ ନେଇ ଫେରିବେ ଭକ୍ତ’

ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁଲିସ ନିୟୋଜନ, ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ଠିକ୍‌ ଭାବେ ପରିଚାଳନା କରାଯିବ। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସାମିଲ ହେବେ ସେଥିପ୍ରତି ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଛି। ଏଣୁ ରଥଯାତ୍ରା ପୂର୍ବରୁ ସୁନାବେଶ ପର୍ଯ୍ୟନ୍ତ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ସ୍ବାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାଣି ଯେଭଳି ବିକ୍ରି ନହୁଏ ତାହା ସୁନିଶ୍ଚିତ କରିବା ସହ ସବୁ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ କହିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ବାରୋପ କରିଥିଲେ ମୁଖ୍ୟମନ୍ତ୍ରୀ। ନୀତିକାନ୍ତି ଯେଭଳି ସୁରୁଖୁରୁରେ ଓ ଉଚିତ ସମୟରେ ହେବ ସେଥିପାଇଁ ସେବାୟତମାନଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଅତିଥିମାନେ ପୁରୀ ଜିଲ୍ଲା ପ୍ରଶାସନର ସୂଚନା ପୁସ୍ତିକା ‘ରୂପରେଖ’ ଉନ୍ମୋଚନ କରିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୋଇଥିବା ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ। 

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଥଯାତ୍ରା ସୁରୁଖୁରୁରେ ସମ୍ପାଦିତ ହେବା ପାଇଁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଓ ପୁଲିସ ଡିଜି ୱାଇବି ଖୁରାନିଆ ଆଇନ ଶୃଙ୍ଖଳା ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର ଓ ପୁରୀ ବିଧାୟକ ସୁନିଲ ମହାନ୍ତିଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ବିନୀତ ଅଗ୍ରୱାଲ, ସେବାୟତ ଓ ମଠାଧୀଶମାନେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ।