ଭୁବନେଶ୍ବର: ବହୁବର୍ଷ ଧରି ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିବା ଖଣି ଚୋରି ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅସନ୍ତୋଷ ଝାଡ଼ିଛନ୍ତି। ଏବେବି ରାଜ୍ୟରେ ବେଧଡ଼କ ଭାବେ ଖଣି ଚୋରି ଚାଲିଥିବାରୁ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ବଡ଼ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଶ୍ରୀ ମାଝୀ ସିଧା ସିଧା କହିଛନ୍ତି ଖଣି ଚୋରିର ଚେର ଯେତେ ଗଭୀରକୁ ଯାଉ ନା କାହିଁକି, ଏହାର ମୂଳୋତ୍ପାଟନ ହେବ। ଖଣି ଚୋରି ପାଇଁ ଶ୍ରୀ ମାଝୀ ପୂର୍ବ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

Advertisment

ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ୭୦ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାର ଅମଳରେ ବ୍ୟାପକ ଭାବେ ଖଣି ଚୋରି ଚାଲିଥିଲା। ସେହି ବେଆଇନ ‘ଡୋକୋ ମାଲ୍‌’ କାରବାର ଏବେବି ଜାରି ରହିଛି। ଖଣି ଚୋରି ରୋକିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ରାଜ୍ୟରେ ଖନନ କରାଯାଉଥିବା ଉଚ୍ଚ ମାନର ଖଣିଜ ପଦାର୍ଥକୁ ନିମ୍ନ ମାନର ଦର୍ଶାଇ ବିକ୍ରି କରାଯାଉଛି। ପୂର୍ବ ସରକାର ଅମଳରେ ହେଉଥିବା ଏହି ବେଆଇନ କାମ ବହୁତ କମିଛି। କିନ୍ତୁ ଏବେ ବି ଚାଲିଛି।

ରାଜ୍ୟରେ ବିପୁଳ ସମ୍ବଳ ଥିବା ସତ୍ତ୍ବେ ପୂର୍ବ ସରକାର ସମ୍ଭାବନାର ସଦୁପଯୋଗ କରିବାରେ ବିଫଳ ହୋଇଥିଲେ।  ଆମ ସରକାର ରାଜ୍ୟର ଖଣିଜ ସମ୍ପଦକୁ ରାଜ୍ୟ ଭିତରେ ମୂଲ୍ୟଯୋଗ କରିବେ। ଏଥିସହ ଉଦ୍ୟୋଗୀକରଣ ଜରିଆରେ ଶିଳ୍ପାୟନକୁ ତ୍ବରାନ୍ବିତ କରିବାକୁ ଆମେ ସଂକଳ୍ପବଦ୍ଧ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ମାନୁଫାକ୍‌ଚରିଂ (ବିନିର୍ମାଣ) ଉପରେ ଗୁରୁତ୍ବାରୋପ କରିବା ସହ ଖଣି ଅଞ୍ଚଳରେ ପିଲେଟ୍‌ କାରଖାନା ସ୍ଥାପନ କରିବା ଏବଂ କାର୍ଯ୍ୟକ୍ଷେତ୍ରରେ ମେସିନ୍ ବଦଳରେ ଅଧିକ ଶ୍ରମଶକ୍ତି ନିୟୋଜନ କରିବାକୁ ଆହ୍ବାନ ଦେଇଥିଲେ।

ସୁନ୍ଦରଗଡ଼ ବେଆଇନ ଖଣି କାର୍ଯ୍ୟକଳାପର ପର୍ଦାଫାସ ହେବ: ଖଣିମନ୍ତ୍ରୀ

ସୁନ୍ଦରଗଡ଼ରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପର ପର୍ଦାଫାସ କରାଯିବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ। ସରକାରଙ୍କ ହାତରୁ କେହି ବି ବର୍ତ୍ତି ପାରିବେ ନାହିଁ। କୋଇଲା ଖଣି ଚୋରିରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି। କାହାକୁ ସରକାର ଛାଡ଼ିବେ ନାହିଁ ବୋଲି ଖଣି ମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଡ଼ବିଲର ଡୁବୁନା ଲୁହାପଥର ଖଣିକୁ ପୁନଃକାର୍ଯ୍ୟକ୍ଷମ କରିଥିଲେ। ଏହାର ବାର୍ଷିକ ଲୁହାପଥର ଉତ୍ପାଦନ କ୍ଷମତା ହେଉଛି ୩ ନିୟୁତ ଟନ୍ ଓ ମାଙ୍ଗାନିଜ କ୍ଷମତା ୦.୦୫ ନିୟୁତ ଟନ୍। ଶ୍ରୀ ମାଝୀ  ତିରିଙ୍ଗ ପାହାଡ ଖଣି, ରେଙ୍ଗାଲବେଡ଼ା ଆରଆର୍ କଲୋନିକୁ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟ ଏବଂ କୋଇଡା ଖଣି ଅଞ୍ଚଳରେ ୯୦୦ କିଲୋୱାଟ୍ ସୋଲାର୍‌ ପ୍ଲାଣ୍ଟ୍‌ ଉଦ୍‌ଘାଟନ କରିଥିଲେ।

୨୦୨୪-୨୫ରେ ଓଏମ୍‌ସିର କାରବାର ୨୩,୬୦୦ କୋଟି ଟଙ୍କା ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ୯୦ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଥିବାରୁ ଓଏମ୍‌ସିକୁ ଆହୁରି ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। କମ୍ପାନିର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ସୂଚନା ପ୍ରଯୁକ୍ତି ମଡ୍ୟୁଲ୍‌କୁ ଉନ୍ମୋଚନ କରିବା ସହ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। କମ୍ପାନିର ସିଏସ୍‌ଆର୍‌ ଉପରେ ଏକ ପତ୍ରିକା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ, ଓଏମ୍‌ସି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।