ଭୁବନେଶ୍ବର: ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ସରକାର ଲୋକଙ୍କ ସରକାର। କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା ସିଏମଓ ଅଭିଯୋଗ ପ୍ରକୋଷ୍ଠ। ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ ସିଏମଓର ତ୍ରୁଟି ନାହିଁ। କୋଭିଡ ବେଳେ ବି ଏହି ଟିମ୍ ଜିଲ୍ଲା ଗସ୍ତ କରିଥିଲେ।
ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ ।
ଅଭିଯୋଗକାରୀମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା । ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି। ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀ ମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ । ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ ।
ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ। ତେଣୁ ଏଥିରେ ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?
ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ ।
ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି ।
ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ ଅଟେ ।
ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି । ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ ।
ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି । ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି । ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।
ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।
ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।
ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ । ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।
ହେଲିକେପ୍ଟର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା।
ଏଣେ ପୋଡିୟମ ତଳେ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଜାରି ରଖିଥିଲେ। ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଗଣତନ୍ତ୍ରକୁ ହତ୍ୟା ଭଳି ସ୍ଲୋଗାନ ଦେଇ ସେମାନେ ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ch-3.jpg)