ବରଗଡ଼ : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଦ୍ମପୁର ଗସ୍ତ ବେଳେ ନୂଆ ଜିଲ୍ଲାର ବିଜ୍ଞପ୍ତି ଦେଖାଇବେକି? ଯଦି ଆନ୍ତରିକତା ରହିଛି ତା’ହେଲେ ମୁଖ୍ୟମନ୍ତ୍ରୀ ଏସଂପର୍କିତ ବିଜ୍ଞପ୍ତି ସାଥୀରେ ନେଇ ଆସନ୍ତୁ ଓ ପଦ୍ମପୁରବାସୀଙ୍କୁ ଦେଖାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତର ଗୋଟିଏ ଦିନ ପୂର୍ବରୁ ଏଭଳି ଆହ୍ବାନ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଜି ରାତିରେ ହିଁ କ୍ୟାବିନେଟ୍ ବୈଠକ ଡାକନ୍ତୁ ଓ ପଦ୍ମପୁର ଉପଖଣ୍ଡକୁ ନୂଆ ଜିଲ୍ଲାର ମାନ୍ୟତା ଦେଇ ଏହାର ଚିଠା ବିଜ୍ଞପ୍ତି ପଦ୍ମପୁରବାସୀଙ୍କୁ ଦେଖାନ୍ତୁ।
ନିଜ ପ୍ରଚାର କାର୍ଯ୍ୟକ୍ରମର ତୃତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ବରିହାପାଲି, ଜାମଲା, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯୋଗଦେବା ଜନସଭାରେ ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ। ସେ କହିଲେ, ଓଡ଼ିଶାର ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ସ୍କୁଲ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି। ସ୍ଥାୟୀ ନିଯୁକ୍ତି ନାହିଁ। ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତିନିୟମ ନିର୍ଦ୍ଧାରଣ କରାଯାଉଛି। ପିଲାଙ୍କ ଭବିଷ୍ୟତକୁ ବି ଅନ୍ଧକାରକୁ ଠେଲି ଦିଆଯାଉଛି।
ପଦ୍ମପୁରକୁ ଅବହେଳାର ଲମ୍ବା ତାଲିକା ରହିଛି। ଏଠି ଧାନର ମୂଲ୍ୟ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ଆଦି କିଛି ମିଳୁ ନାହିଁ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯାଉ ନାହିଁ। ଏହି ଅଞ୍ଚଳରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଦୀର୍ଘ ୨୨ ବର୍ଷ ଶାସନରେ ଯେଉଁମାନେ କାମ ଖଣ୍ଡେ ଯୋଗାଡ କରିପାରିଲେ ନାହିଁ, ଗଙ୍ଗାଧର ଜଳସେଚନ ପ୍ରକଳ୍ପରେ ପାଣି ମୁନ୍ଦେ ପହଞ୍ଚାଇ ପାରିଲେ ନାହିଁ, ସେମାନେ ଆଜି ମିଛ ସୁଆଙ୍ଗ ରଚୁଛନ୍ତି। ସବୁଠି ଅବ୍ୟବସ୍ଥା ଦେଖାଯାଇଛି। ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ ଦେବେ। ପଦ୍ମପୁରବାସୀ ୨୨ ବର୍ଷ ଧରି ପ୍ରତାରଣାର ଉତ୍ତର ମତଦାନ କରି ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଝାରବନ୍ଧ ଅନୁଷ୍ଠିତ ମାତୃ ସମାବେଶରେ କୁନା ପୁରୋହିତଙ୍କୁ ଜିତାଇବା ପାଇଁ ସମବେତ ମହିଳାମାନଙ୍କୁ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/dharmendra-pradhan.jpg)