ବରିଷ୍ଠ ଅଧିକାରୀଙ୍କୁ କହିଲେ ନବୀନ-‘‘ଲୋକେ ଲେଖୁଛନ୍ତି ମୋ ଚରିତ୍ର ପଞ୍ଜିକା, ଆପଣଙ୍କର ମୁଁ’’

ଭୁବନେଶ୍ୱର: ଜନ ସାଧାରଣଙ୍କ ଆସ୍ଥା ଓ ସନ୍ତୋଷଭାଜନ ହେବା ଲାଗି ଅଧିକ ଦକ୍ଷତା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି।

ଲଗାତାର ପଞ୍ଚମଥର ପାଇଁ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଆଜି ପ୍ରଥମଥର ଲାଗି ବରିଷ୍ଠ ଅଧିକାରୀମାନଙ୍କୁ ସଚିବାଳୟଠାରେ ଉଦ୍‌ବୋଧନ ଦେଇଥିଲେ। ପୂର୍ବରୁ ଗତ ମେ ୨୯ ତାରିଖ ଦିନ ତାଙ୍କର ନୂଆ ଟିମ୍‌ ଶପଥ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମନ୍ତ୍ରୀମାନଙ୍କୁ ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବାକୁ ନବୀନ ଆହ୍ଵାନ ଦେଇଥିଲେ।

ଆଜି ବରିଷ୍ଠ ସରକାରୀ ଅଫିସର୍‌ମାନଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ,‘‘ ମୁଁ ଆପଣମାନଙ୍କର କାର୍ଯ୍ୟାବଳି ସମୀକ୍ଷା କରି ଚରିତ୍ର ପଞ୍ଜିକା ଲେଖୁଛି। କିନ୍ତୁ ରାଜ୍ୟବାସୀ ମୋର କାର୍ଯ୍ୟାବଳି ସମୀକ୍ଷା କରି ଚରିତ୍ର ପଞ୍ଜିକା ଲେଖୁଛନ୍ତି। ଦୁଇଟି ମଧ୍ୟରେ ସଂଯୋଗ ରଖିବାକୁ ମୁଁ ଚାହେଁ। ଉଭୟ ମୁଁ ଓ ମୋର ମନ୍ତ୍ରିମଣ୍ଡଳ ଏବଂ ଆପଣମାନେ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ ରହିବା ଉଚିତ। ’’

ପଞ୍ଚମ ପାଳିରେ ମୁଁ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛି। ଆମର ସଂପଦକୁ ମୂଲ୍ୟଯୁକ୍ତ କରିବା ଉପରେ ମୁଁ ଗୁରୁତ୍ୱ ଦେଉଛି। ଶିଳ୍ପାୟନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ,ଅଣୁକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପୁଞ୍ଜ ଏବଂ ଷ୍ଟାର୍ଟ ଅପ୍‌ ହବ୍‌ କ୍ଷେତ୍ରରେ ଅଷ୍ଟ୍ରେଲିଆ ,ଦକ୍ଷିଣ କୋରିଆ ଓ ସିଙ୍ଗାପୁର ପରି ଦେଶମାନଙ୍କ ସମକକ୍ଷ ହେବାକୁ ଓଡ଼ିଶା ଚାହୁଁଛି ’’ବୋଲି କହିଛନ୍ତି ନବୀନ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଶାସନର ମନ୍ତ୍ର ଭାବେ ତିନିଟି ‘ଟି’ -ଟେକ୍ନୋଲଜି, ଟିମ୍‌ଓ୍ଵାର୍କ ଓ ଟ୍ରାନ୍ସପ୍ୟାରେନ୍ସି- ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଏଥର କ୍ଷମତାକୁ ଆସିବା ପରେ ଏହି ତିନୋଟି ‘ଟି’ ସହିତ ଆଉ ଦୁଇଟି ‘ଟି’ -ଟାଇମ୍‌ ଓ ଟ୍ରାନ୍ସଫର୍ମେସନ-ଯୋଡ଼ିଛନ୍ତି। ଏହି ୫ଟି ‘ଟି’ର ସଫଳ ରୂପାୟନ ପାଇଁ ସରକାରୀ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟ ଦକ୍ଷତାରେ ଅଧିକ ଉନ୍ନତି ଆଣି ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦପ୍ତର ଏହାର ସମୀକ୍ଷା କରିବ। ବିଶେଷତଃ ତୃଣମୂଳ ସ୍ତରରେ ଜନସାଧାରଣଙ୍କୁ ସେବା ଯୋଗାଉଥିବା ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡିକୁ ଏଥିପାଇଁ ତତ୍ପର ହେବାକୁ ସେ ଆହ୍ଵାନ ଦେଇଛନ୍ତି।

ଯୋଗା ଯାଉଥିବା ସେବା ସଂପର୍କରେ ହାସପାତାଳରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କଠାରୁ ପ୍ରତିକ୍ରିୟା ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ପରିବହନ ବିଭାଗ, ତହସିଲ ଅଫିସ,ସବ୍‌-ରେଜିଷ୍ଟର୍‌ ଅଫିସ୍‌,ଗ୍ରାମାଞ୍ଚଳ ଗୃହ ଯୋଗାଣ ବିଭାଗର କାର୍ଯ୍ୟାବଳିରେ ଲୋକେ ସନ୍ତୁଷ୍ଟ କି ନୁହେଁ -ତାହା ଜାଣିବା ଉଚିତ।

‘‘ଏହି ସବୁ ବିଭାଗ ବା ସଂସ୍ଥା ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ।ଏଗୁଡ଼ିକ ଜନସାଧାରଣଙ୍କ ଅର୍ଥରେ ଚାଲୁଛି। ଏହି ସବୁ ବିଭାଗର କାର୍ଯ୍ୟାବଳି ନେଇ ଲୋକେ କେତେ ଦୂର ସନ୍ତୁଷ୍ଟ? ନାଗରିକଙ୍କ ସନ୍ତୋଷ ହେବା ଭଳି ସେବା ଯୋଗାଣ ଉପରେ ଆପଣମାନେ ଦୃଷ୍ଟି ଦେବା ମୁଁ ଚାହେଁ। ସଂପୂର୍ଣ୍ଣ ଭାବେ ନାଗରିକ କୈନ୍ଦ୍ରିକ ଶାସନ ମୁଁ ଚାହେଁ’’-ଏକଥା କହିଛନ୍ତି ନବୀନ।

ସମ୍ବନ୍ଧିତ ଖବର