ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ ଓ ଶିଶୁ ବାଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ବର ବଡ଼ଗଡ଼ ଉଚ୍ଚବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ହାତ ଧରି ଚକ୍‌ଖଡ଼ିରେ ବୃତ୍ତ କାଟି ଖଡ଼ିଛୁଆଁ ଆରମ୍ଭ କରିଥିଲେ। ତା’ପରେ ପ୍ରଥମ ଅକ୍ଷର ଭାବେ ‘ମା’ ଲେଖାଇ ଅକ୍ଷର ଶିକ୍ଷା ଆରମ୍ଭ କରାଇଥିଲେ।

Advertisment

ରାଜ୍ୟ ସରକାରଙ୍କ ‘ଓଡ଼ିଆ ପକ୍ଷ’ ପାଳନର ଦ୍ବିତୀୟ ଦିବସରେ ଆୟୋଜିତ ଏହି ଉତ୍ସବକୁ ସାରା ରାଜ୍ୟରେ ମହାସମାରୋହରେ ପାଳନ କରାଯାଇଥିଲା। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ କୁନି କୁନି ପିଲାମାନେ ଉତ୍ସାହର ସହ ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍କୁଲ ପରିସରରେ ଆୟୋଜିତ ସାକ୍ଷରତା ଶିକ୍ଷଣ ସାମଗ୍ରୀ ଷ୍ଟଲ୍‌, ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ଷ୍ଟଲ୍‌, ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ଷ୍ଟଲ୍‌ ବୁଲି ଦେଖିବା ସହିତ ଶିଶୁ ବାଟିକାରେ ପିଲାଙ୍କ ପଠନ ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ବଡ଼ଗଡ଼ ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ ଗପ ମାଧ୍ୟମରେ ପିଲାଙ୍କୁ ପାଠ ବୁଝାଉଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ପିଲାଙ୍କ ସହିତ ବାର୍ତ୍ତାଳାପ ଆରମ୍ଭ କରିଥିଲେ। ଖୁବ୍ ସହଜ ଭାବରେ ପିଲାଙ୍କ ମା’ଙ୍କ ନାଁ, ବାପାଙ୍କ ନାଁ, କଣ ଖାଇଚ…, ଏମିତି ଅନେକ ପ୍ରଶ୍ନ ପଚାରି ପିଲାଙ୍କ ସହିତ ଭାବଗତ ସମ୍ପର୍କ ଯୋଡ଼ିଥିଲେ। ପିଲାମାନେ ମଧ୍ୟ ଖୁବ୍ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। 

ଆରମ୍ଭ ହେଲା ଶିଶୁ ବାଟିକା ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ
ବଡ଼ଗଡ଼ ଉଚ୍ଚବିଦ୍ୟାଳୟରେ ଶୁଭାରମ୍ଭ କଲେ 
ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ଼ କରିବ ଶିଶୁ ବାଟିକା

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରଦାନ କରିଥିଲେ। ଏହାପରେ ସେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରଷି ଦେଇଥିଲେ। ଏଥିସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-୨୦୨୫ ସଚେତନତା ରଥର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଲେ, ଛୋଟ ପିଲାଙ୍କ ମାନସିକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ବହୁତ ଖୁସି ଅଛନ୍ତି। ଏହି ଶିଶୁ ବାଟିକା ରାଜ୍ୟରେ ପ୍ରାଥମିକ ଶିକ୍ଷାଦାନ କ୍ଷେତ୍ରକୁ ସୁଦୃଢ଼ କରିବ। ଆଗାମୀ ଦିନରେ ପିଲାମାନେ ଏକ ସୁନ୍ଦର ଓ ମନୋଜ୍ଞ ପରିବେଶରେ ପାଠ ପଢ଼ିବେ। ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ଥାନୀୟ କର୍ପୋରେଟର ଅଜିତ ବେହେରା, ସମାଜସେବୀ ଜଗନ୍ନାଥ ପ୍ରଧାନ, ସଂଗ୍ରାମ ମାର୍ଥା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତ, ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜାତୀୟ ଶିକ୍ଷାନୀତି-୨୦୨୦ ଅଧୀନରେ ଆଜିଠାରୁ ଶିଶୁ ବାଟିକା ବା ପ୍ରାକ୍ ପ୍ରାଥମିକ ଶ୍ରେଣୀ ଶିକ୍ଷା ଆରମ୍ଭ କରାଯାଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଶିଶୁ ବାଟିକା ଖୋଲାଯିବ। ୫ରୁ ୬ ବର୍ଷ ବୟସର ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଗ୍ରହଣ କରିବେ।