ବଜେଟ୍ ପାଇଁ ରାଜ୍ୟବାସୀଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ: ଜୁନ୍ ୨୦ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମତାମତ ଦାଖଲ କରାଯିବ

ଭୁବନେଶ୍ବର: ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀଙ୍କ ସରକାର ବଜେଟ୍ ଉପସ୍ଥାପନ କରିବେ।  ବଜେଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି।  ବର୍ଷ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ୍, ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ। ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି।

୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି। ସେହି ୱେବ ପୋର୍ଟାଲ ହେଉଛି budget.odisha.gov.in। ସେହିପରି [email protected] ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ।

ଏହାବ୍ୟତୀତ ୯୪୩୮୧-୬୧୧୧୧ ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ରାଜ୍ୟବାସୀ ପଠାଇପାରିବେ। ଏହା ସହିତ ଫେସବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତାମତ ପଠାଇପାରିବେ। ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ  ଜୁନ୍ ୨୦ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ପ୍ରଦ‌ାନ କରାଯାଇଛି।

ସମ୍ବନ୍ଧିତ ଖବର