ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଓଡ଼ିଶା କ୍ୟାଡର୍‌ ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ। ନିତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ସେ ଏହି ଅଧିକାରୀମାନଙ୍କ ସହଯୋଗ ଲୋଡ଼ିଥିଲେ। ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ବୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଯେଉଁ ଯେଉଁ କ୍ଷେତ୍ର ପାଇଁ ଆମକୁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ସେଗୁଡ଼ିକ ହେଲା ବନ୍ଦର ଭିତ୍ତିକ ବିକାଶ, ଶିଳ୍ପ କରିଡର୍‌ ଓ ଶିଳ୍ପ ପାର୍କ ସ୍ଥାପନ, ରେଳବାଇ ଓ ବିମାନବନ୍ଦର ଭିତ୍ତିଭୂମି ସ୍ଥାପନ ପାଇଁ ଅଧିକ ଅର୍ଥର ବରାଦ ଏବଂ ଆବଶ୍ୟକ ମଞ୍ଜୁରି, ପ୍ରାକୃତିକ ବିପର୍ଯ୍ୟୟ ସହଣୀୟ ଭିତ୍ତିଭୂମିର ବିକାଶ ପାଇଁ ସହାୟତା, ସବୁଜ ଅର୍ଥନୀତିର ବିକାଶ ପାଇଁ ହାଇଡ୍ରୋ ଷ୍ଟୋରେଜ୍ ପ୍ଲାଣ୍ଟ୍‌ ଓ ସୋଲାର ପ୍ରକଳ୍ପ ପାଇଁ ସହାୟତା।

Advertisment

ଏହାବ୍ୟତୀତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ବ୍ୟାଙ୍କ୍ ଶାଖା ଓ ଏଟିଏମ୍‌ ପ୍ରତିଷ୍ଠା, ଖଣିଜ ଶିଳ୍ପର ବିକାଶ ପାଇଁ ସହଯୋଗ, ରେଳ ନେଟୱର୍କର ବିକାଶ, ବୈଦେଶିକ ପୁଞ୍ଜି ଓ ସେମି କଣ୍ଡକ୍ଟର ପରି ଆଧୁନିକ ଶିଳ୍ପର ବିକାଶ ପାଇଁ ସହଯୋଗ, ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟକୁ ଅଧିକ ପ୍ରୋତ୍ସାହନ ଓ ଆହୁରି ଅନେକ ପ୍ରସ୍ତାବ ରହିଛି। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଏଥର ବଜେଟ୍‌ରେ ଲୋକଙ୍କ ମତାମତ ପ୍ରତିଫଳିତ ହୋଇଛି। ଆମ ସରକାର ‘ଲୋକଙ୍କ ସରକାର’। କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଧିଷ୍ଠିତ ଓଡ଼ିଶାର ଅଧିକାରୀମାନଙ୍କର ସହଯୋଗ ଆମ ଉଦ୍ୟମକୁ ବାସ୍ତବ ରୂପ ଦେବାରେ ସହାୟକ ହେବ। ଓଡ଼ିଶା କ୍ୟାଡର୍‌ ଅଧିକାରୀମାନଙ୍କ ଗଠନମୂଳକ ମତାମତ ପାଇଁ ସରକାରଙ୍କ ଦ୍ୱାର ଉନ୍ମୁକ୍ତ ରହିଛି।