ନମସ୍କାର ମା’… ଆପଣଙ୍କ ପିଲା ଭଲ ଖେଳିଲେ

ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ରାଉରକେଲା : ‘ନମସ୍କାର ମା’… ଆପଣଙ୍କ ପିଲା ବହୁତ ଭଲ ଖେଳିଛନ୍ତି। ବହୁତ ବହୁତ ବଧାଇ।’

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳର ଦୁଇ ଓଡ଼ିଆ ସଦସ୍ୟଙ୍କ ମା’ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଥିଲା ଶୁଭେଚ୍ଛା ବାର୍ତ୍ତା। ହକିରେ ଭାରତୀୟ ଦଳର ସଫଳତା ପରେ ସାରା ଦେଶରେ ଖୁସିର ପରିବେଶ ସୃଷ୍ଟି ହୋଇଥିଲା ବେଳେ ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲାରେ ଉତ୍ସବର ପରିବେଶ ସୃଷ୍ଟି ‌ହୋଇଛି। ପାନପୋଷ କ୍ରୀଡ଼ାଛାତ୍ରାବାସର ଉଦୀୟମାନ ହକି ତାରକା, କୋଚ୍‌ଙ୍କ ଠାରୁ ଆରମ୍ଭକରି ହକିପ୍ରେମୀ, କ୍ରୀଡ଼ା ସଂଗଠନ ସବୁ ଖୁସି ମନାଇଛନ୍ତି। ଏହି ଅବସରରେ ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ।

ଅମିତଙ୍କ ମା’ ଗୋଲାପୀ ଓ ବୀରେନ୍ଦ୍ରଙ୍କ ମା’ ମେରୀ ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହି ବେଶ୍‌ ଖୁସି ପ୍ରକଟ କରିଥିଲେ। ସେମାନେ କହିଥିଲେ ଯେ ‘ଆମ ପରିବାର, ଗାଁ ଲୋକ ବହୁତ ଖୁସି। ୪୧ ବର୍ଷ ପରେ ଭାରତ କାଂସ୍ୟ ପଦକ ଜିତିଛି। ଆପଣଙ୍କୁ ଧନ୍ୟବାଦ’। ‌ଅମିତଙ୍କ ଭାଇ ନିରଞ୍ଜନ ରୋହିଦାସ କହିଥିଲେ, ‘କାଂସ୍ୟ ପଦକ ଜିତିଥିବାରୁ ଆମେ ବହୁତ ଗର୍ବିତ। ଆମେ ବହୁତ ଖୁସି। ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।’ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁସି ପ୍ରକାଶ କରିବା ସହ ତାଙ୍କ ଭାଇ ବହୁତ ଭଲ ଖେଳିଲେ ବୋଲି କହିଥିଲେ। ବୀ‌ରେନ୍ଦ୍ରଙ୍କ ବଡ଼ ଭଉଣୀ ଅନିତା ଲାକ୍ରା ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଖେଳାଳିଙ୍କ ପରିବାର ସଦସ୍ୟଙ୍କୁ ଭିଡିଓ କନ୍‌ଫ‌ରେନ୍ସିଂରେ ବସାଇବାର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର