ଭୁବନେଶ୍ବର : ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆଜି ଆରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସ୍ବାସ୍ଥ୍ୟକର୍ମୀମାନଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୧ ସମସ୍ତଙ୍କ ପାଇଁ ଭଲ ଖବର ନେଇ ଆସିଛି। ଆଜି ଅପେକ୍ଷାର ଅନ୍ତ ହୋଇଛି। ଗତ ୧୦ ମାସ ଧରି ଆମର କୋଭିଡ୍‌ ଯୋଦ୍ଧାମାାନେ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି। ସେମାନଙ୍କ ସେବା ଓ ତ୍ୟାଗକୁ ଆମେ କେବେ ଭୁଲିପାରିବୁ ନାହିଁ। ସେମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ସମସ୍ତଙ୍କ ସହଯୋଗରେ ଓଡ଼ିଶା କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛି। ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଉ‌େଲ୍ଲଖନୀୟ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସାରା ଦେଶରେ ଅଧିକ ଆରୋଗ୍ୟ ହାର ଏବଂ କମ୍ ମୃତ୍ୟୁ ହାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଟିକାକରଣ କାର୍ଯ୍ୟକ୍ରମକୁ ଚଳିତ ବର୍ଷର ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଭା‌େବ ବର୍ଣ୍ଣନା କରି ଏହାକୁ ସଫଳ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ବିଶେଷ କରି ସ୍ବାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଥିଲେ।

Advertisment

ଏହି ଅବସରରେ ଆମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମର ବୈଜ୍ଞାନିକମାନେ ରେକର୍ଡ ସମୟ ମଧ୍ୟରେ କରୋନା ଟିକା ଉଦ୍ଭାବନ କରି ଦେଶର ଗୌରବ ବୃଦ୍ଧି କରିଛନ୍ତି। ଆଜି ଆମର ଫାର୍ମା କମ୍ପାନିମାନେ ମଧ୍ୟ ବିଶ୍ବର ବିଭିନ୍ନ ଦେଶକୁ ଟିକା ଯୋଗାଉଛନ୍ତି। ଟିକା ନେଇଥିବା ଓ ନେବାକୁ ଥିବା ସମସ୍ତ ସ୍ବାସ୍ଥ୍ୟ କର୍ମୀମାନଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିବା ସହିତ ଟିକା ନେବା ପରେ ଅଧିକ ଆତ୍ମବିଶ୍ବାସ ସହ ସେମାନଙ୍କର ସେବା କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। କୋଭିଡ୍‌ ମହାମାରୀ ପରି ଏକ କଠିନ ପରିସ୍ଥିତିରେ ଆମର କୋଭିଡ୍‌ ଯୋଦ୍ଧାମାନେ ଯେପରି ସାହସ ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ାରୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସ୍ବାସ୍ଥ୍ୟ କର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ। ସେମାନେ ସମସ୍ତେ ସୁସ୍ଥ ଥିବା ଏବଂ ସେମାନଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା କଥା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ।