ମାଲକାନଗିରିର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଇଛନ୍ତି । ଅଞ୍ଚଳରେ ବିକାଶ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ସେ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଫୋର-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଞ୍ଚାୟତକୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବାବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କେତେ ସଫଳ ହୋଇଛି, ସେନେଇ ଲୋକଙ୍କ ସହ ସିଧାସଳଖ କଥାହୋଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସ୍ୱାଭିମାନ ଅଞ୍ଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଛି।

ତେଣୁ ୪-ଜି ସେବା ଆରମ୍ଭ ହୋଇଥିବା ବେଳେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ୯ଟି ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଠାରେ ଆଉ ୩ଟି ମୋବାଇଲ ଟାୱାରର ଯୋଜନା ରହିଛି, ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ । ଏହାଛଡ଼ା ୪୧୯ଟି ଡିପ୍ ବୋରୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ ।

 

ସମ୍ବନ୍ଧିତ ଖବର