ପଦ୍ମପୁର ଉପନିର୍ବାଚନରେ ବିଜୟୀ ବର୍ଷା ସିଂ ବରିହାଙ୍କ ସହ କଥା ହୋଇ ପରାମର୍ଶ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହିତ ଟେଲିଫୋନ୍‌ରେ କଥା ହୋଇଛନ୍ତି।  ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିବାରୁ ବର୍ଷା ସିଂ ବରିହାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ବର୍ଷା ସିଂ ବରିହାଙ୍କୁ ପରାମର୍ଶ ଦେଇଛନ୍ତି।

ପଦ୍ମପୁୀବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତୃବୃନ୍ଦଙ୍କୁ  ଗତକାଲି (ବୁଧବାର) ପରାମର୍ଶ ଦେଇଥିଲେ। ଏଥିସହ ପଦମପୁରର ବିକାଶ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବାକୁ ସଭାପତି ଆହ୍ବାନ କରିଥିଲେ। ପଦ୍ମପୁରବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛ, ତାହା ପାଳନ କରିବ ବୋଲି କହିଥିଲେ। ପଦ୍ମପୁର ଦାୟିତ୍ବରେ ଥିବା ନେତାମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ।

ସୂଚନାଯୋଗ୍ୟ, ପଦ୍ମପୁରରେ ବିଜେଡି କ୍ରମଗେତ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିଛି। ପଦ୍ମପୁରରେ ବିଜେଡି ୪୨,୬୭୯ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୨୦,୮୦୭ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୮,୧୨୮ ଖଣ୍ଡ ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍ ମିଳିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର