ଶିମିଳିପାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତନାଘନା

ଜାଭଡେକରଙ୍କ ତଦନ୍ତ ନିର୍ଦେଶ ପରେ ଜଙ୍ଗଲ ବିଭାଗ ନିଦ ଭାଙ୍ଗିଲା
ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଶଶୀ ପଲ୍‌
ସମସ୍ତେ ଜାଣି ବେଫିକର ଥିଲେ, ବ୍ୟାପକ କ୍ଷତି ଘଟାଇସାରିଲାଣି ନିଆଁ

ଭୁବନେଶ୍ବର/ବାରିପଦା : ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସମଗ୍ର ଦେଶରେ ପରିବେଶବିତ୍‌ ଉଦବେଗ ପ୍ରକ‌ାଶ କଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆଜି ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ପରିସ୍ଥିତି କିଭଳି ରହିଛି, ସେ ନେଇ ସଂପୃକ୍ତ ଡିଏଫ୍‌ଓ ରାଜ୍ୟ ସରକାରଙ୍କୁ ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ରିପୋର୍ଟ ଦେବାକୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିମିଳିପାଳ କେବଳ ଓଡିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ବର ଏକ ଅମୂଲ୍ୟ ସମ୍ପଦ। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ମୁଖ୍ୟମନ୍ତ୍ରୀଙ୍କ ଏହି ଅସନ୍ତୋଷ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପାଇଁ ଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଡା. ମୋନା ଶର୍ମା କହିଥିଲେ ଯେ ନିଆଁ ନିୟନ୍ତ୍ରଣାଧୀନ ଅଛି। କୌଣସି ଜୀବନ ହାନି ଘଟିନାହିଁ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସ୍‌ଓପି ଜାରି କରାଯାଇଛି। ବଡ଼ ବଡ଼ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶୀ ପଲ୍ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ସଚିବ (୫ଟି) ଭି. କେ. ପାଣ୍ଡିଆନ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ତେବେ ଜଙ୍ଗଲରେ ଯେ ଆଜି ହଠାତ୍ ନିଆଁ ଲାଗିଗଲା ତା’ ନୁହେଁ। ଆଗରୁ ଲାଗିଛି। ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀମାନେ ଏକଥା ଜାଣିଥିଲେ। ହେଲେ ଏତେ ବେଫିକର ଯେ ଯେଭଳି ତନାଘନା କରିବା କଥା ତାହା କଲେନାହିଁ। ଶେଷରେ କଥା କେନ୍ଦ୍ର କାନକୁ ଗଲା। ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍ ଆଧାରରେ ମଙ୍ଗଳବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ତଦନ୍ତ ନିର୍ଦେଶ ଦେବା ପରେ ହଠାତ୍ ଜଙ୍ଗଲ ଅଧିକାରୀମାନଙ୍କ ନିଦ ଭାଙ୍ଗିଛି। ଆଜି ସକାଳେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଯେ ସେ ପିସିସିଏଫ୍‌ଙ୍କୁ ଶିମିଳିପାଳ ପଠାଇଛନ୍ତି। ଆମ ବାରିପଦା ପ୍ରତିନିଧି ଜଣାଇଛନ୍ତି ଯେ ଶଶୀ ପଲ୍ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଏଯାଏ ପହଞ୍ଚିନାହିଁ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ଏଠାକୁ ପଠାଇଥିବା ସେ କହିଥିଲେ।

ହେଲେ ପ୍ରଶ୍ନ ଉଠୁଛି, ଶିମିଳିପାଳ ଭଳି ଜଙ୍ଗଲରେ ନିଆଁ ଲାଗିବା ସଂପର୍କରେ ଜାଣିବା ପରେ ବି ବନ ବିଭାଗର ବଡ଼ ବାବୁମାନେ ସେଠାକୁ କାହିଁକି ଯାଇନଥିଲେ? କେଉଁ ପରିସ୍ଥିତିରେ ନିଆଁ ଲାଗିଲା, କାହିଁକି ଏହାକୁ ନିୟନ୍ତ୍ରଣ ଦିଗରେ ବନ ବିଭାଗ ଅଧିକାରୀମାନେ ତତ୍କାଳ ପଦକ୍ଷେପ ନେଲେ ନାହିଁ, ସର୍ବୋପରି ଏଥିପାଇଁ କିଏ ଦାୟୀ, ତାହା ନିର୍ଣ୍ଣୟ ହେବାର ଆବଶ୍ୟକତା ଅଛି। ଗୋଟିଏ ପଟେ ବୃକ୍ଷରୋପଣରେ କେଳେଙ୍କାରୀ, ବନ୍ୟପ୍ରାଣୀ ଶିକାର ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ନିଆଁ ଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବା ଓ ବନଜୀବଙ୍କ ମଧ୍ୟରେ ଆତଙ୍କ ଖେଳିବା ଘଟଣାକୁ ବିଭାଗ ଯେଭଳି ଗୁରୁତ୍ବ ଦେବା କଥା ତାହା ପରିଦୃଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଭଞ୍ଜବସା, ଉପରବାରାକାମୁଡ଼ା, ଜେନାବିଲ୍, ନଅଣା ଉତ୍ତର ଓ ଦକ୍ଷିଣ, ପିଠାବଟା, ଡୁକୁରା ରେଞ୍ଜରେ ନିଆଁ ଯଥେଷ୍ଟ କ୍ଷତି କରିଛି। ଏହି କାରଣରୁ ହାତୀ, ବାଘ, ହରିଣଙ୍କ ଭଳି ବିଭିନ୍ନ ବନ୍ୟପ୍ରାଣୀ ଏବଂ ମୂଲ୍ୟବାନ ବୃକ୍ଷରାଜି ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି। ସେହିପରି ଜିଲ୍ଲାର କପ୍ତିପଦା, ଉଦଳା, ବାରିପଦା, ବେତନଟୀ, ରାସଗୋବିନ୍ଦପୁର, ଦେଉଳୀ, ବାଙ୍ଗିରିପୋଷି ଭଳି ବନାଞ୍ଚଳରେ ଏବେ ମଧ୍ୟ ନିଆଁ ଲାଗିଛି।

ସମ୍ବନ୍ଧିତ ଖବର