ଆସନ୍ତାକାଲି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି କରୋନା । ଆଉ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ପରେ ଏହି ସୂଚନା ଦେଇଛନ୍ତି  ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀନ ଜେନା । କୋଭିଡ ସ୍ଥିତି ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠରେ ଡେଭେଲପମେଣ୍ଟ କମିସନର, ଏସଆରସି, ସ୍ୱାସ୍ଥ୍ୟ ସଚିବ, ଡିଏମଇଟି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳମାନଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତାକାଲି ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିମାନଙ୍କ ଉପସ୍ଥିତିରେ କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ।

ଗାଁ ଗୁଡିକରେ କୋଭିଡ ପରିଚାଳନା କମିଟିକୁ ପୁଣିଥରେ ସକ୍ରିୟ କରାଯିବ । ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେ କରୋନା ଲଢେଇରେ ନିୟୋଜିତ କରାଯିବ । ସେମାନେ ବାହାର ଗାଁକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ସେହିଭଳି ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଗାଁ ଗାଁ ବୁଲି କରୋନା ବାବଦରେ ଲୋକଙ୍କୁ ସଚେତନ କରାଇବେ । ଏହାଛଡା କରୋନା କଟକଣାକୁ କଡାକଡି କରାଯିବ । ଖାସକରି ମଲ, ବ୍ୟବସାୟିକ ପ୍ରତିଷ୍ଠାନ, ଭିଡ ହେଉଥିବା ସ୍ଥାନରେ କରୋନା ଗାଇଡଲାଇନକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ଏସପିମାନଙ୍କୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ପ୍ରତିଦିନ ୨୬ ହଜାର ଟେଷ୍ଟିଂ ହେଉଛି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସଂକ୍ରମଣ କମ ରହିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର