ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯିବ। ଏ ନେଇ ପ୍ରସ୍ତୁତ ପୁଙ୍ଖାନୁପୁଙ୍ଖ ଯୋଜନାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏଥିଲାଗି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। କଟକ ଜିଲ୍ଲାପାଳ ଓ ଆରଡିସି ଆଜି ସଂଧ୍ୟାରେ ଜମି ଅଧିଗ୍ରହଣ ଲାଗି ପ୍ରସ୍ତାବ ଦେବେ। ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନ କଟକ ଗସ୍ତ କରି ଏସସିବିର ଭିତ୍ତିଭୂମି ବିକାଶ ଓ ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ହୋଇଥିବା ଯୋଜନାର ସମୀକ୍ଷା କରିଥିଲେ। ସୂଚନା ଅନୁସାରେ, ଏସସିବିକୁ ବିଶ୍ବସ୍ତରୀୟ କରିବା ଲାଗି ୨୫ଏକର ଜମି ରାଜ୍ୟ ସରକାର ଅଧିଗ୍ରହଣ କରିବେ। ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।

Advertisment

publive-image

ବୁଧବାର ଭୋରରୁ ୫-ଟି ସଚିବ କଟକରେ ପହଞ୍ଚି ମେରିଟାଇମ ମ୍ୟୁଜିୟମରେ ଅନୁଷ୍ଠିତ ଏକ ସମୀକ୍ଷା  ବୈଠକରେ ଯୋଗ ଦେବା ପରେ ମହାନଦୀ ପଠାକୁ ଯାଇ ପ୍ରକଳ୍ପ ଲାଗି ସ୍ଥାନ ଅନୁଧ୍ୟାନ କରିଥିଲେ। ଏହି ବୈଠକରେ କଟକ ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ଲାଗି ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ମହାନଦୀ ପଠାରେ ହେବାକୁ ଥିବା ଦ୍ବିତୀୟ କ୍ୟାମ୍ପସ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ଗୃହ ଏବଂ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍ ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟର ସମୀକ୍ଷା କରିଥିଲେ ।