ଭୁବନେଶ୍ୱର: ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ସରକାରୀ ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ନେଇ କିଛିଟା ଦ୍ୱନ୍ଦ୍ବ ଥିଲା। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।

Advertisment

ନିଷ୍ପତ୍ତି ଅନୁଯାୟୀ, ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଏବଂ ପ୍ରସବର ଛଅ ମାସ ମଧ୍ୟରେ ଜଣେ ସରକାରୀ ମହିଳା କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ। କିନ୍ତୁ ମହିଳା ସରକାରୀ କର୍ମଚାରୀ ଜଣକ ଯଦି ଶିଶୁ ଜନ୍ମ ସମୟରେ ଚାକିରିରେ ନଥା’ନ୍ତି, ସେ ସେବାରେ ଯୋଗ ଦେବା ପରେ ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ ମାତୃତ୍ବ ଛୁଟି ୧୮୦ ଦିନରୁ କମ୍ ହୋଇପାରେ। ଉଦାହରଣ ସ୍ବରୂପ, ଜଣେ ମହିଳାଙ୍କ ପ୍ରସବ ତାରିଖ ଯଦି ୧ ଏପ୍ରିଲ ୨୦୨୫। ତେବେ ଶିଶୁକୁ ୨୭ ସେପ୍ଟେମ୍ବରରେ ଛଅ ମାସ ପୂର୍ଣ୍ଣ ହେବ। ଯଦି ସେ ଜୁନ୍‌ ୧୯ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ବ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦ ଜୁନ୍‌ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟ ହେବେ। ମହିଳା କର୍ମଚାରୀ ମାତୃତ୍ୱ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ମୃତ ଶିଶୁ ଜନ୍ମ) ହୁଏ, ତେବେ ମାତୃତ୍ବ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ବରୂପ, କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ ଯଦି ୩୦ ଜୁନ୍‌ ଥାଏ ଏବଂ ଚିକିତ୍ସାଜନିତ ଜଟିଳତା ହେତୁ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ପହିଲା‌ରୁ ଯଦି ସେ ପ୍ରସବ ଛୁଟି ନେଇଥା’ନ୍ତି ଏବଂ ତାଙ୍କର ଜୁନ୍‌ ପହିଲାରେ ମୃତ ଶିଶୁ ଜନ୍ମ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨ ଜୁଲାଇ ପର୍ଯ୍ୟନ୍ତ ସେ ମାତୃତ୍ବ ଛୁଟି ନେଇପାରିବେ।

ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ। ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ବ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ବତନ୍ତ୍ର ମାତୃତ୍ବ ଛୁଟି ପାଇବେ। ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ୱ ଛୁଟି ପ୍ରଦାନ କରାଯିବ। ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ଯଦି ମାତୃତ୍ବ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବିକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ପଦବିରେ ଯୋଗଦାନ ରିପୋର୍ଟ (ହାର୍ଡ କିମ୍ବା ସଫ୍ଟ କପି) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ପଦବିରେ ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ବ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ। ମହିଳା କର୍ମଚାରୀ ତାଙ୍କର ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ।

ଜୁନ୍‌ରୁ ୮୦% ଅଧିକ ଭିନ୍ନକ୍ଷମଙ୍କୁ ବର୍ଦ୍ଧିତ ଭତ୍ତା

ଭୁବନେଶ୍ବର: ଆସନ୍ତା ଜୁନ୍‌ ମାସରୁ ୮୦%ରୁ ଅଧିକ ଭିନ୍ନକ୍ଷମ ଓ ୮୦ବର୍ଷରୁ ଅଧିକ ବୟସ୍କ ଏଣିକି ୩୫ଶହ ଟଙ୍କା ଭତ୍ତା ପାଇବେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାର ୨୦୨୫ ଜାନୁଆରି ଏହି ଭତ୍ତା ବୃଦ୍ଧି କରିଥିଲେ। ଜୁନ୍ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କ ବୟସ ୮୦ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ଏଣିକି ୩୫ଶହ ଟଙ୍କା ଭତ୍ତା ପ୍ରଦାନ କରିବେ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଆଜି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ୟୁନିଟ୍-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲର  ଏସ୍‌ଆଇଡିଆର୍‌ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଯୋଗ୍ୟ ହିତାଧିକାରୀମାନେ ଯେପରି ସହଜରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ ସେଥିପାଇଁ ପ୍ରଶାସନିକ ପ୍ରତିବନ୍ଧକ ଓ ନୀତିଗତ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଅତିରିକ୍ତ ୮୩ହଜାର ୧୩୫ ଜଣ ହିତାଧିକାରୀଙ୍କୁ ପ୍ରତିମାସ ୩୫ଶହ ଟଙ୍କା ବର୍ଦ୍ଧିତ ହାରରେ ସାମାଜିକ ସୁରକ୍ଷା ପେନ୍‌ସନ୍‌ ମଞ୍ଜୁର କରାଯାଇଛି। ରାଜ୍ୟରେ ଏବେ ୫ ଲକ୍ଷ ହିତାଧିକାରୀ ବର୍ଦ୍ଧିତ ହାରରେ ଭତ୍ତା ପାଉଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ନିଶ୍ଚିତ କରିବା ଓ ରାଜ୍ୟରେ ଚାଲୁଥିବା ଅନୁଷ୍ଠାନ-ସ୍ୱତନ୍ତ୍ର ବିଦ୍ୟାଳୟ ଓ ବୃଦ୍ଧାଶ୍ରମଗୁଡ଼ିକୁ ନିୟମିତ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗର ବଜେଟ୍‌ର ୧୦୦% ଉପଯୋଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ସ୍ବତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଭାସ୍କର ରଇତ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

‘କନ୍ୟା ବିବାହ ଯୋଜନା’ରେ ବିଧବା ହେବେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ପ୍ରାରମ୍ଭିକ ପର୍ଯ୍ୟାୟରେ ମାତୃଭାଷାରେ ଶିକ୍ଷାଦାନ ଦ୍ବାରା ପିଲାଙ୍କ ଆତ୍ମବିଶ୍ୱାସ ବଢ଼ିଥାଏ। ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହ ପାଠ ମଧ୍ୟ ସହଜ ଲାଗିଥାଏ। ଏ ପରିପ୍ରେକ୍ଷୀରେ ପିଲାମାନେ ନିଜ ପରିବେଶରେ ଦେଖୁଥିବା ବସ୍ତୁ, ପ୍ରାଣୀ ତଥା ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀକୁ ନେଇ ସଚିତ୍ର ପୁସ୍ତକ ପ୍ରକାଶନ ଉପରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଅଧିକ ମାନବ ସମ୍ବଳ ସୃଷ୍ଟି ସହିତ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି। ଆଜି ଲୋକସେବା ଭବନଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୧୦,୬୨୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ଟି ଦେଶୀୟ ମାତୃଭାଷାରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ଏହି ଭାଷାଗୁଡ଼ିକ ହେଲା ଦେଶୀଆ, ଭୂମିଜ, ବିଂଝାଲ, ଗୋଣ୍ଡି, ହୋ, ସାଦ୍ରି, ଖଡ଼ିଆ, ବଣ୍ଡା, ମୁଣ୍ଡା, କୋୟା, କୁଭି, କୁଇ, ସଉରା, ସାନ୍ତାଳୀ, ଓରାମ୍‌, କିଶାନ୍ ଓ ଜୁଆଙ୍ଗ। 

ଏଥିସହ ଗରିବ ବାପା, ମା’ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲୁକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ପୂର୍ବରୁ ରାଜ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବିବାହ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଭିନ୍ନ ଜାତି ବିବାହ ଏବଂ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା କାର୍ଯ୍ୟକ୍ରମରେ କନ୍ୟା ବିବାହ ପାଇଁ ସହାୟତା ପ୍ରଦାନ କରାଯାଉଛି। କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଗରିବ, ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ପରିବାରର କନ୍ୟା ବିବାହ ପାଇଁ ବିଶେଷ ସହାୟ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଯୋଜନାରେ ବିଧବାମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥି ସହ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିବାହକୁ ସାମୂହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ କହିଥିଲେ। ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।