ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚି ୧୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏଥିରେ ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।
ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ । ଏଥିପାଇ ଗଜପତିରେ ସ୍ମାର୍ଟ ହେଲ୍ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ।
ଗଜପତି ଜିଲ୍ଲାର ସ୍ବାତନ୍ତ୍ର୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ହେଉଛି କଳା ଓ ସସ୍ଖୃତିର ଭୂମି। ଛୋଟିଆ ଜିଲ୍ଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତିର ଅବଦାନ ବହୁତ ବେଶୀ । ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ସେ ଥିଲେ ବିକାଶ ଓ ସ୍ବାଭିମାନର ପ୍ରତୀକ। ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ମେଗା ପାଇପ ପାଣି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହାସହିତ ମହେନ୍ଦଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା - ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ। ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ। ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ। ଏହି ନୂଆ ବ୍ୟବସ୍ଥାରେ ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡ଼ିବନି। କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ। ଏଭଳି ସୁବିଧା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ।
ଏହାଛଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୮୨୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଚନ୍ଦ୍ରଶେଖର ସାହୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ କେ ନାରାୟଣ ରାଓ ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/CM-in-Gajapati_Thumbnail.jpg)