ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯେ କେହି ବି ହୁଅନ୍ତୁ ନା କାହିଁକି ଛଡ଼ାଯିବ ନାହିଁ। ତେଣୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରି ନିଅ। ଭଲ କାମ କରି ନାଁ କମାଅ। ସୁନାମ ଅର୍ଜନ କର। ଭଲ କାମ କରୁଥିବା ଅଧିକାରୀଙ୍କୁ ରାଜ୍ୟ ସରକାର ସମ୍ମାନିତ, ପୁରସ୍କୃତ କରୁଛନ୍ତି। ମାତ୍ର କିଛି ଜଣଙ୍କ ପାଇଁ ଜଙ୍ଗଲ ବିଭାଗ ଆଜି ବଦନାମ ହେଉଛି। ଆଉ ବଦନାମ କର ନାହିଁ। ‌ଯଦି କେହି ଦୁର୍ନୀତି କରୁଛ, ତେବେ ଏବେଠୁ ସୁଧୁରି ଯାଅ। ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଅଧୀନରେ କାର୍ଯ୍ୟରତ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଚେତାବନୀ ଶୁଣାଇଛନ୍ତି।
Advertisment
ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନର 
ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ତେଣୁ ଅଧିକାରୀମାନେ ଦୁର୍ନୀତିଠାରୁ ଦୂରରେ ରୁହନ୍ତୁ। ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ସହ ସେମାନଙ୍କ ସହ ମିଳିମିଶି ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ। ଆମ ରାଜ୍ୟର ଏକ-ଚତୁର୍ଥାଂଶ ଲୋକ ହେଉଛନ୍ତି ଆଦିବାସୀ ସଂପ୍ରଦାୟର। ସେମାନେ ମୁଖ୍ୟତଃ ବଣ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ପାଇଁ ସଂଘର୍ଷହୀନ ସହାବସ୍ଥାନ ସୃଷ୍ଟି ଏବଂ ସୁରକ୍ଷା ହେଉଛି ସରକାରଙ୍କ ନୈତିକ ଦାୟିତ୍ୱ। ବନ ଅଧିକାରୀମାନେ ମୁଖ୍ୟତଃ ଗରିବ, ଆଦିବାସୀ, ଦଳିତବର୍ଗ ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ତେଣୁ ଜଙ୍ଗଲ ସୁରକ୍ଷା ନିୟମ ପାଳନ ସମୟରେ ସେମାନଙ୍କ ପ୍ରତି ସମ୍ବେଦନଶୀଳତା ସହ ଭଲ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପ୍ରଦୂଷଣ ନିୟମ ମାନୁ ନ ଥିଲେ ଶିଳ୍ପାନୁଷ୍ଠାନ ବନ୍ଦ କର
ଆଦିବାସୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ
ପ୍ରଦୂଷଣ ନିୟନ୍ତ୍ରଣ ରୋକିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପ ନେବାକୁ କହିଛନ୍ତି। ସେ କହିଲେ, ପରିବେଶ ଓ ଶିଳ୍ପାୟନ ପରସ୍ପରର ପରିପନ୍ଥୀ, ଏଥିରେ ମୁଁ ସମ୍ପୂର୍ଣ୍ଣ ଏକମତ ନୁହେଁ। ପରିବେଶ ପ୍ରଦୂଷଣ ରୋକିବାକୁ ନୂଆ ନୂଆ ଟେକ୍ନୋଲୋଜି ଆସିଲାଣି। ଶିଳ୍ପାନୁଷ୍ଠାନରୁ ଆସୁଥିବା ବର୍ଜ୍ୟବସ୍ତୁର କିଭଳି ସୁବିନିଯୋଗ ହୋଇପାରିବ, ସେ ଦିଗରେ ସଂସ୍ଥାଗୁଡ଼ିକ ପଦକ୍ଷେପ ନେବା ଆବଶ୍ୟକ। କିଛି ସ୍ଥାନରେ ଦେଖିବାକୁ ମିଳୁଛି ଯେ ସଲାସୁତରାରେ ଅଧିକାରୀମାନେ ପରିବେଶ ମଞ୍ଜୁରି ପ୍ରଦାନ କରିଦେଉଛନ୍ତି। ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀମାନେ ଏଭଳି ସଲାସୁତୁରା ଛାଡ଼ନ୍ତୁ। ଯେଉଁ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ କରୁନାହିଁ ତାହାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନିଅ। କାରଣ ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଡିଓମାନଙ୍କୁ ତାଗିଦ କରିଥିଲେ। ସଜାଗ ରହିବାକୁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ କିଛି ଦିନ ହେଲା ଜଣଙ୍କ ପରେ ଜଣେ ବନ ଅଧିକାରୀ ଦୁର୍ନୀତି କରି ସମ୍ପତ୍ତି ଠୁଳ କରିଥିବା ସାମନାକୁ ଆସିଛି। ସେମାନଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ଜଙ୍ଗଲ ବିଭାଗ ବଦନାମ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଆଜି ବନ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।