ଭୁବନେଶ୍ବର: ‘ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ  ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ। ଆପଣମାନେ ସର୍ବଦା କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ। ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚିତ ପୁରସ୍କୃତ କରାଯିବ। ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ। ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।’ ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ରାଜସ୍ବ ଅଧିକାରୀଙ୍କୁ କହିଛନ୍ତି। 

Advertisment

ଆଜି ଲୋକସେବାଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ବ ଅଧିକାରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବାର ବେଳ ଆସିଛି। ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ। ଆପଣମାନେ ସରକାରର ପ୍ରତିନିଧି ଭାବେ ଗାଁ ଓ ଗ୍ରାମବାସୀଙ୍କୁ ଠିକ୍ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ। ସମାଜର ଶେଷ ଧାଡ଼ିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚିବା ଦରକାର।  ଯେଉଁମାନେ ବହୁଦିନ ଧରି ବଞ୍ଚିତ ଓ ଅବହେଳିତ, ସେମାନେ ହେଉଛନ୍ତି ସରକାରଙ୍କ ପ୍ରାଥମିକତା। ଏବେ ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ। ଆଗାମୀ ଦିନରେ ସରକାର ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ। ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ବଚ୍ଛତା ସହ କାର୍ଯ୍ୟ କରନ୍ତୁ। 

ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ଯେପରି କେହିବି ଭୂମିହୀନ ରହିବେନି ସେଥିପାଇଁ ଯାହାର ୪ଡେସିମିଲିରୁ କମ୍‌ ଜମି ଅଛି ସେମାନଙ୍କୁ ସରକାର ଭୂମିହୀନର ମାନ୍ୟତା ଦେଇ ଜମି ଯୋଗାଇଦେବେ। ତେଣୁ ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବାରେ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣାବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ। ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ। ତେଣୁ ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ। ଯଦି ଜ୍ଞାତସାରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ। ଏଥିରେ ସରକାରଙ୍କ ‘ଶୂନ ସହନଶୀଳତା’ ଅଛି। 

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ରାଜସ୍ୱ ବିଭାଗ ହେଉଛି ସ୍ବଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ। ଯଦି ସରକାର ଆପଣଙ୍କ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ଆପଣମାନେ ଆବଶ୍ୟକ ଜମି ଯୋଗାଡ଼ କରିବେ। ଯଦି ସରକାରଙ୍କ ପାଖରେ ଜମି ନାହିଁ, ଲୋକଙ୍କଠାରୁ ଅଧିଗ୍ରହଣ କରିବାକୁ ପଡ଼ିବ। ଏହି କାର୍ଯ୍ୟ ସବୁବେଳେ ବିଶ୍ବାସର ସହିତ କରିବାକୁ ହେବ। ସରକାର ବର୍ତ୍ତମାନ ଧାନ କିଣିବା ପାଇଁ ଅଧିକ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ, କେଉଁ ଚାଷୀ କେତେ ଜମିରେ ପ୍ରକୃତ ଚାଷ କରିଛନ୍ତି ତାହାର ଜମିୱାରୀ ଯାଞ୍ଚ ହେବା ଆବଶ୍ୟକ। ଯାହା ରାଜସ୍ୱ, ସମବାୟ, କୃଷି ଏବଂ ଜଳସେଚନ ବିଭାଗ ଦ୍ବାରା ମିଳିତ ଭାବେ ହୁଏ। ତେଣୁ ଠିକ୍‌ ତଥ୍ୟ ଆସିବା ଦରକାର, ଯାହାଦ୍ୱାରା ଚାଷୀମାନେ ସେମାନଙ୍କ ପ୍ରକୃତ ଚାଷ କରିଥିବା ଫସଲ ପାଇଁ ସୁବିଧା ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତବର୍ଷର ବାତ୍ୟା ‘ଦାନା’ ସମୟରେ ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଆମକୁ ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଆପଣମାନେ ନିଜର ମାନସିକତା ବଦଳାନ୍ତୁ। ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ବ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ବ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି। ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡ଼ିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ। ସମୟ ଅନୁଯାୟୀ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ଯତ୍ନବାନ ହୁଅନ୍ତୁ । କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ମଞ୍ଚରେ ଉପସ୍ଥିତ ଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଂଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରମାନେ ଅଂଶଗ୍ରହଣ କରିଥିଲେ।

ସାମାନ୍ୟ ଦୁର୍ନୀତି ବି ବରଦାସ୍ତ କରିବିନି
ସରକାରୀ ଜମି ଜବରଦଖଲମୁକ୍ତ କର
ଜମିଜମା ମାମଲାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରଖ
ଲୋକଙ୍କ ଆସ୍ଥାଭାଜନ ହୁଅ: ରାଜସ୍ବମନ୍ତ୍ରୀ

ରାଜସ୍ବ ବିଭାଗକୁ ଫେରିବ ଲଘୁ ଖଣିଜ ସଂପଦ

ଭୁବନେଶ୍ବର/କେନ୍ଦୁଝର: ଲଘୁ ଖଣିଜ ସମ୍ପଦ ପରିଚାଳନାରେ ଦେଖାଦେଇଥିବା ଘୋର ଅବ୍ୟବସ୍ଥାକୁ ନେଇ ବହୁଦିନ ହେଲା ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା। ସାଧାରଣ ଲୋକଙ୍କର ଘର ନିର୍ମାଣଠାରୁ ଆରମ୍ଭ କରି ଗାଁ ରାସ୍ତା ନିର୍ମାଣ ଓ ସରକାରଙ୍କ ବିଭିନ୍ନ ନିର୍ମାଣ କାମରେ ଲଘୁ ଖଣିଜ ସମ୍ପଦର ପ୍ରମୁଖ ଭୂମିକା ଥିବା ବେଳେ ଏଥିରେ ଅବ୍ୟବସ୍ଥା ସାଧାରଣରେ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଥିଲା। ବିଧାନସଭା କମିଟି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ସୁପାରିସ କରିଥିଲେ। ଶେଷରେ ସରକାର ଲଘୁ ଖଣିଜ ସମ୍ପଦ ପରିଚାଳନା ଦାୟିତ୍ବ ପୁଣି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ହାତକୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଲଘୁ ଖଣିଜ ସମ୍ପଦ ଖଣି ବିଭାଗ ଅଧୀନରେ ରହିଲେ ବି ପୂର୍ବଭଳି ରାଜସ୍ବ ବିଭାଗ ପରିଚାଳନା କରିବ ବୋଲି ଆଜି ରାଜସ୍ବ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି।

ପ୍ରକାଶଥାଉକି, ଲଘୁ ଖଣିଜ ସମ୍ପଦର ସୁପରିଚାଳନା ପାଇଁ ୨୧.୧୧.୨୨ରେ ଚିଠି ସଂଖ୍ୟା ୩୨୮୮୨ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ହାତରୁ କାଢ଼ି ଆଣି ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବ ସରକାରଙ୍କର ଏହି ନିଷ୍ପତ୍ତି ପରିସ୍ଥିତିକୁ ମହରଗରୁ ନେଇ କାନ୍ତାରରେ ପକାଇଥିଲା। ଲଘୁ ଖଣିଜ ସମ୍ପଦ ପରିଚାଳନା କରିବାରେ ମୁଷ୍ଟିମେୟ ଖଣି ବିଭାଗ କର୍ମଚାରୀ ସମ୍ପୂର୍ଣ୍ଣ ବିଫଳ ହେବା ସହିତ ବହୁ ପରିମାଣରେ ରାଜସ୍ବ ସଂଗ୍ରହ ହ୍ରାସ ପାଇଥିଲା। ଏହା ବାଦ୍ ମାଫିଆଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଇଲା। ଲଘୁ ଖଣିଜ ସମ୍ପଦ ବାଲି, ଗୋଡ଼ି, ପଥର ପ୍ରଭୃତି ‌ସାଧାରଣ ଲୋକର ଘର ତିଆରିଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଉନ୍ନୟନ କାମରେ ବାଧକ ସାଜିଲା। ଖଣି ବିଭାଗର ମୁଷ୍ଟିମେୟ କର୍ମଚାରୀଙ୍କ ଦ୍ବାରା ରାଜ୍ୟରେ ୩୫୫୭ଟି ଲଘୁ ଖଣିଜ ସୈରାତ୍‌ର ସୁପରିଚାଳନା, ଚୋରି ରୋକିବା ଇତ୍ୟାଦି କାମରେ ସମ୍ପୂର୍ଣ୍ଣ ବିଫଳ ହେଲେ। ଖଣି ବିଭାଗ ଯେତେପ୍ରକାର ଏସ୍‌ଓପି ଜାରି କଲେ ମଧ୍ୟ ତୃଣମୂଳସ୍ତରରେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅପରପକ୍ଷରେ ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁଁ ଆଇନଶୃଙ୍ଖଳା ଦିନକୁ ଦିନ ବିଗିଡ଼ିଲା। ରାଜସ୍ବ ସଂଗ୍ରହ ପରିମାଣ ବ୍ୟାପକ ଭାବେ ପ୍ରଭାବିତ ହେଲା। 

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧-୨୨ରେ ଲଘୁ ଖଣିଜ କାରବାରରୁ ୪୯,୮୫୯ କୋଟି ୧୨ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୨-୨୩ରେ ୩୮,୦୭୫‌ କୋଟି ୪ଲକ୍ଷ ଟଙ୍କା, ୨୦୨୩-୨୪ରେ ୪୬,୩୯୬କୋଟି ୫୦ଲକ୍ଷ ଟଙ୍କା ଓ ୨୦୨୪-୨୫ ଜାନୁଆରି ସୁଦ୍ଧା ମାତ୍ର ୩୪,୦୩୭ କୋଟି ୧୧ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଲଘୁ ଖଣିଜ ସମ୍ପଦ ବ୍ୟବହାର ପରିମାଣ ବୃଦ୍ଧି ପାଉଥିବା ବେଳେ ରାଜସ୍ବ ହ୍ରାସ ସହିତ ଚୋରି କାରବାର ବ୍ୟାପକ ହୋଇଥିଲା।