‘କାଳିଆ’ ତୃତୀୟ କିସ୍ତି ପ୍ରଦାନ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା

ଭୁବନେଶ୍ବର : ଚାଷୀଙ୍କୁ ମିଳିବ ‘କାଳିଆ’ ତୃତୀୟ କିସ୍ତି। ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ କୃଷି ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ‘କାଳିଆ’ ତୃତୀୟ କିସ୍ତି ଅର୍ଥ ମାର୍ଚ୍ଚରେ ପ୍ରଦାନ ନେଇ ‘ସମ୍ବାଦ’ରେ ଗତମାସ ୩୧ ତାରିଖରେ ଖବର ପ୍ରକାଶ ପାଇଥିଲା। ଏଥରକ ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ‘କାଳିଆ’ ଅର୍ଥ ପ୍ରଦାନ କରାଯିବ। ଏହି ତାଲିକାରେ ଭୂମିହୀନ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ନୂଆ ହିତାଧିକାରୀମାନଙ୍କ ସଂଖ୍ୟା କେତେ, ସେ ତଥ୍ୟ କୃଷି ବିଭାଗ ପ୍ରକାଶ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାସ୍ତରରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀମାନଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ଡିବିଟି ଜରିଆରେ ପ୍ରଦାନ ନେଇ ସରକାର ଲକ୍ଷ୍ୟ କରିଛନ୍ତି।

ମାର୍ଚ୍ଚରେ ଚଳିତ ବର୍ଷ ପାଇଁ ପ୍ରଥମ କିସ୍ତି ପିଏମ୍‌ କିଷାନ ସହାୟତା ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ। ପ୍ରଥମ ଥର ପାଇଁ ପିଏମ୍‌ କିଷାନ ସହାୟତା ଅର୍ଥ ସହିତ ରାଜ୍ୟ ସରକାର ମଧ୍ୟ ‘କାଳିଆ’ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି। ୨୦୨୦ ମସିହା ଖରିଫ ଓ ରବି ଫସଲ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ସହାୟତା ପ୍ରଦାନ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପିଏମ୍‌ କିଷାନ ସହାୟତାର ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଓ କାଳିଆ ସହାୟତା ତୃତୀୟ କିସ୍ତି ବାବଦରେ ସରକାର ନିଜ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନାଥାଉକି, ୨୦୧୮ ମସିହା ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟ୍‌କୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା। ସେଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବା ବେଳେ ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀ ସହାୟତା ପାଇଥିଲେ। କିନ୍ତୁ ପ୍ରଥମ କିସ୍ତି ହିତାଧିକାରୀ ତାଲିକା ଯାଞ୍ଚ ପରେ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ପୂର୍ବରୁ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଥିଲା। ଅର୍ଥାତ୍‌ ୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ବିତୀୟ କିସ୍ତି ଅର୍ଥ ମୋଟ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା। ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ତୃତୀୟ ତଥା ଶେଷ କିସ୍ତି ବାବଦରେ ଏହି ବର୍ଗର ଚାଷୀମାନଙ୍କୁ ବାକି ୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଏହାଭିତରେ ସେମାନଙ୍କ ସଂଖ୍ୟା କମିଛି କି ବଢ଼ିଛି, ସେ ତଥ୍ୟ ମିଳିପାରିନାହିଁ। ସେହିପରି ହିତାଧିକାରୀ ତାଲିକାରେ ନୂଆ ହୋଇ ସାମିଲ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ ହଜାର କି ୫ ହଜାର ଟଙ୍କା ପ୍ରଦାନ କରାଯିବ ସେ ନେଇ ଆଜି ଦିନତମାମ କୃଷି ବିଭାଗରେ ଘନଘନ ବୈଠକ ବସିଥିଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ଘୋଷଣା କରାଯିବ, ସେଥିପାଇଁ ଏ ସମ୍ପର୍କରେ ମନ୍ତ୍ରୀ ନା ବିଭାଗୀୟ ଅଧିକାରୀ କେହି ମୁହଁ ଖୋଲିନାହାନ୍ତି।

ସମ୍ବନ୍ଧିତ ଖବର