ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସ ଧୁମ୍‌ଧାମ୍‌ରେ ପାଳନ ହେବ। ରାଜ୍ୟର ୧୧୫ଟି ଯାକ ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ, ପୌର ସଂସ୍ଥାଗୁଡ଼ିକର ମେୟର, ପୌରାଧ୍ୟକ୍ଷମାନେ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହରାଞ୍ଚଳବାସୀଙ୍କୁ ବଡ଼ ଭେଟି ଦେବେ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ସବୁ ପୌର ସଂସ୍ଥା ଏଥରର ସ୍ବାୟତ୍ତ ଶାସନ ଦିବସକୁ ଲୋକଙ୍କ ସହ ପାଳନ କରିବା ସହ ସମସ୍ତଙ୍କ ପାଇଁ ସ୍ମରଣୀୟ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ କେଉଁ ପୌରସଂସ୍ଥାରେ କେଉଁ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ହେବ ତା’ର ତାଲିକା ଦେବାକୁ କୁହାଯାଇଛି। ସମସ୍ତ ବଡ଼ ପ୍ରକଳ୍ପକୁ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରିବା ଏବଂ ଅନ୍ୟ ପ୍ରକଳ୍ପକୁ ଅଗଷ୍ଟ ୨୫ରୁ ୩୦ ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଦ୍‌ଘାଟନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସେହିପରି ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା, ସେମାନଙ୍କ ଦାବି ହେଉଥିବା ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା, ‘ଏକ ପେଡ୍‌ ମା’କେ ନାମ୍‌’ ଅଭିଯାନରେ ବ୍ୟାପକ ବୃକ୍ଷରୋପଣ, ଗ୍ରିନ୍ ୱାର୍ଡ ଅଭିଯାନର ଶୁଭାରମ୍ଭ, ଗୋଷ୍ଠୀ ଅଂଶଗ୍ରହଣକୁ ଉତ୍ସାହିତ କରିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପରିମଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା, ‘ଘରେ ଘରେ ତ୍ରିରଙ୍ଗା- ଘରେ ଘରେ ସ୍ବଚ୍ଛତା’ ଅଭିଯାନରେ ଲୋକଙ୍କୁ ଯୋଡ଼ିବା ପାଇଁ ପଥ ଉତ୍ସବ କରିବା ଏବଂ ଏଥିରେ ଗୋଷ୍ଠୀ ମନୋରଂଜନ ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ସହ ଯୁବବର୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି।