‘ମୋତେ ମୁଖ୍ୟମନ୍ତ୍ରୀ ସାହାଯ୍ୟ କରିବେ…’

୧୪ ବର୍ଷର ବାଳକ ୩ ବର୍ଷ ହେଲା ଶଯ୍ୟାଶାୟୀ

ତିର୍ତୋଲ : ସତ୍ୟବ୍ରତ(ପପୁ) ବାରିକ, ବୟସ ୧୪। ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ପାଖାପାଖି। ଓଜନ ୫୩ କେଜି। ଏମିତିକା ଲମ୍ବା ଶରୀରଟି ବିଛଣାରେ ନିସ୍ତେଜ ହୋଇ ପଡ଼ିରହୁଛନ୍ତି ୨୪ ଘଣ୍ଟା। ଖେଳକୁଦ ଉଦ୍ଦାମତାର ବୟସରେ ପଙ୍ଗୁ ପାଲଟି ଯାଇଛନ୍ତି ପପୁ। ଅଟୋରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବାପା ମନ, ମା’ ମାୟାବତୀ ଏବଂ ପରିଣତ ବୟସରେ ଜେଜେମା’ ସାବିତ୍ରୀ ତାଙ୍କର ବୋଝ ବୋହୁଛନ୍ତି। ଏପରି ଲମ୍ବା ଶରୀରକୁ ଉଠାଇ ସ୍ନାନଶୌଚ କରାଉଛନ୍ତି, ଖୁଆଇ ଦେଉଛନ୍ତି। କିନ୍ତୁ ପ୍ରାୟତଃ ହସୁଥିବା ପପୁ ବେଳେବେଳେ ଗମ୍ଭୀର ହୋଇ ମା’ ମାୟାବତୀଙ୍କ ଆଖିରୁ ଲୁହ ପୋଛି କହୁଛନ୍ତି, ‘ ମୁଁ ଭଲ ହୋଇଯିବି, କାନ୍ଦନା..। ମୋତେ ମୁଖ୍ୟମନ୍ତ୍ରୀ ସାହାଯ୍ୟ କରିବେ..।’ ଟିଭିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ‘ପପୁ’ ବୋଲି ଜାଣିବା ପରେ ତାଙ୍କର ଆଶା ବି ଦ୍ବିଗୁଣିତ ହୋଇଯାଇଛି।

ତିର୍ତୋଲ ବ୍ଲକ୍‌ କନକପୁର ପଞ୍ଚାୟତର କନକପୁର ଶାସନ ଗ୍ରାମରେ ପପୁଙ୍କ ଘର। ସାଙ୍ଗସାଥୀଙ୍କ ମେଳରେ ସ୍କୁଲରେ ପାଠପଢ଼ା ଖେଳକୁଦ ସବୁ ଠିକ୍‌ଠାକ୍‌ ଚାଲିଥିଲା। ସଭାସମିତି, ପୂଜାପାର୍ବଣ ଆୟୋଜନରେ ପପୁ ଥା’ନ୍ତି ସମସ୍ତଙ୍କ ଆଗରେ। ବେଶ୍ ମଜାଳିଆ ମିଜାଜ୍‌ର। ୬ଷ୍ଠ ଶ୍ରେଣୀରେ କ୍ଲାସ୍‌ ସାରି ସ୍କୁଲ ଶିଡ଼ିରୁ ଓହ୍ଲାଇଲା ବେଳେ ହଠାତ୍‌ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ମଣିଜଙ୍ଗା ଡାକ୍ତରଖାନା, ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର କହିଲେ କଟକ ନେଇଯିବାକୁ। ସେହିଦିନୁ ସେ ଶଯ୍ୟାଶାୟୀ। ସବୁଦିନ ପାଇଁ ପାଠ ବହିରେ ଡୋରି ବନ୍ଧା ହୋଇଗଲା।

କଟକ ବଡ଼ଡାକ୍ତରଖାନା, ଶିଶୁ ଭବନ, ଅସ୍ଥିଶଲ୍ୟ, ସ୍ନାୟୁ ଚିକିତ୍ସା, ଚକ୍ଷୁ, ଚର୍ମରୋଗ, ହୃଦ୍‌ରୋଗ, ମସ୍କିଷ୍କ ଚିକିତ୍ସା ବିଭାଗଠାରୁ ଆରମ୍ଭ କରି ସବୁ ବିଭାଗର ବିଶେଷଜ୍ଞ ଦେଖିଲେ। ବହୁ ଡାକ୍ତରଖାନା, ବିଶେଷଜ୍ଞଙ୍କ ନିକଟକୁ ଦୌଡ଼ି ପପୁଙ୍କ ପରିବାର ନିରାଶ ହେଲେ। କିନ୍ତୁ ଶଯ୍ୟାରୁ ଉଠି ପାରିଲେନି ପପୁ। ଏଣେ, ପୁଅର ଚିକିତ୍ସା ପାଇଁ ସବୁ କିଛି ବିକି ଦେଲେଣି ପରିବାର ଲୋକେ। ପେଟପାଟଣାର ରାହା ଅଟୋରିକ୍ସା ଖଣ୍ଡିକ ବିକି ଚିକିତ୍ସା କରିବାକୁ ଚିନ୍ତା କରିଥିବା ବାପାଙ୍କ ମନ ସମ୍ଭାଳି ହେଉନାହିଁ। ଏଇ ଖଣ୍ଡକ ବିକିଦେଲେ ପୁଅର ଚିକିତ୍ସା ଖର୍ଚ୍ଚ ତୁଲାଇ ହେବ ଓ ସେ ଭଲ ହୋଇଯିବ, ସେ ଗ୍ୟାରେଣ୍ଟି ମଧ୍ୟ ନାହିଁ। ସବୁଆଡ଼ୁ ନିରାଶ ହୋଇ ନିଦ ହଜି ଗଲାଣି। କୋଉ ଡାକ୍ତରଖାନାକୁ ପୁଅକୁ ବୋହି ନେବା ଆଣିବା ମଧ୍ୟ କଷ୍ଟସାଧ୍ୟ। ବାରମ୍ବାର ଆବେଦନ ପରେ ଗତମାସରେ ପପୁଙ୍କୁ ଭିନ୍ନକ୍ଷମ ଭତ୍ତା ମିଳିଛି। କିନ୍ତୁ ପଞ୍ଚାୟତସ୍ତରରେ ହେଉ ଅବା ବ୍ଲକ୍‌ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ସହାୟତା ମିଳିନାହିଁ।

ସବୁଆଡ଼ୁ ନିରାଶ ହେବାପରେ ପୁଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ପପୁଙ୍କ ବାପାମା’। ମୁଖ୍ୟମନ୍ତ୍ରୀ ବି ସାହାଯ୍ୟ କରିବେ ବୋଲି ନିଜେ ପପୁ ଆଶା ବାନ୍ଧି ବସିଛନ୍ତି। ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର