କୋଟିଆ ଲୋକଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ବଦଳିଲେ ଜିଲ୍ଲାପାଳ; ଅବଦଲ୍ ଅଖତାରଙ୍କୁ ଦାୟିତ୍ବ

ଭୁବନେଶ୍ବର : ଓଡ଼ିଶା ହାତରୁ ଖସିଯାଉଛି କୋଟିଆ। କୋରାପୁଟ ଜିଲ୍ଲାର ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାକୁ ଦୀର୍ଘ ଦିନରୁ ଲୋଲୁପ ଦୃଷ୍ଟି ପକାଇଛନ୍ତି। ପୂର୍ବରୁ ରାସନ କାର୍ଡ଼ ଓ ସରକାରୀ ଯୋଜନା ଆବଣ୍ଟନ କରି ନିଜ ସ୍ଥିତି ଜାହିର କରିଆସିଥିବା ଆନ୍ଧ୍ର ଚଳିତ ମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିବ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହଠାତ୍‌ ସରକାର ଚେଇଁ ଉଠିଛି। ସୁତ୍ରରୁ ଜଣାପଡ଼ିଛି, ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଗ୍ରାମବାସୀଙ୍କ ସହିତ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହେବେ। ଏହାସହିତ ସୀମାନ୍ତ ଗ୍ରାମବାସୀଙ୍କ ବିକାଶ ପାଇଁ ଘୋଷଣା କରିବେ ନୂଆ ଯୋଜନା।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଅବଦଲ୍ ଅଖତରଙ୍କୁ ଅବସ୍ଥାପିତ କରାଯାଇଛି। ଅନ୍ୟପଟେ ଶ୍ରୀ ମିଶ୍ରଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜିଲ୍ଲାପାଳଙ୍କ ଅଚାନକ ବଦଳିକୁ ନେଇ କ୍ଷମତା କରିଡରରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କିଭଳି ତିନି ପଞ୍ଚାୟତକୁ ଆନ୍ଧ୍ର ସରକାର ନିଜର ବୋଲି କହି ନିର୍ବାଚନ ପାଇଁ ପାଗ ଭିଡ଼ିଲେ ଓ ଜିଲ୍ଲା ପ୍ରଶାସନ ଚୁପ୍ ରହିଲା, ତାହାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଇଛନ୍ତି। ଗୋଟିଏ ମହଲ କହୁଛନ୍ତି, ସୀମାନ୍ତ ଗାଁର ୩ଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ଏତେସବୁ ଘଟଣା ଗୋଟିଏ ଦିନରେ ହୋଇନାହିଁ। ସମ୍ଭବତଃ ଜିଲ୍ଲାପାଳଙ୍କୁ ଏଥିପାଇଁ ସରକାର ବଦଳି କରି ନୂଆ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର