ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନିୟମିତ ଜନଅଭିଯୋଗ ଶୁଣାଣି ଯୋଗୁଁ ସରକାରଙ୍କ ଉପରେ ଲୋକଙ୍କ ଭରସା ବଢ଼ୁଛି। ୧୩ଟି ଜନଅଭିଯୋଗ ଶୁଣାଣି ପାଳିରେ ୧୨ହଜାର ୨୫୨ଟି ଅଭିଯୋଗ ଆସିଥିଲା। ତହିଁରୁ ୧୦ହଜାର ୮୦୭ଟି ଅଭିଯୋଗର ସମାଧାନ କରାଯାଇଛି। ସଫଳତା ହାର ରହିଛି ୮୮%। ବଳକା ଅଭିଯୋଗଗୁଡ଼ିକ ପ୍ରକ୍ରିୟା ମଧ୍ୟମରେ ରହିଛି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିୟମିତ ପ୍ରୟାସ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ୧୪ତମ ପାଳି ଅଭିଯୋଗ ଶୁଣାଣି
୧୩ ପାଳି ସୁଦ୍ଧା ଆସିଥିବା ଅଭିଯୋଗରୁ ୮୮%  ଅଭିଯୋଗର ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୪ତମ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରିମଣ୍ଡଳର ବରିଷ୍ଠ ମନ୍ତ୍ରୀଗଣ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରତିଥର ଭଳି ମୁଖ୍ୟମନ୍ତ୍ରୀ ପୂର୍ବାହ୍ଣରେ ପ୍ରଥମେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଜଟିଳ ରୋଗରେ ପୀଡ଼ିତ ୪୦ରୁ ଅଧିକ ବ୍ୟକ୍ତିଙ୍କୁ ଜଣ ଜଣ କରି ଭେଟିଥିଲେ। ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜୀକୃତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କିଛି ଜଣ ନିଜ ନିଜ ସମସ୍ୟାକୁ ନେଇ ବିଚଳିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭରସା ଓ ଆଶ୍ୱାସନା ଦେଇଥିଲେ। ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପ୍ରକୋଷ୍ଠ ମଧ୍ୟରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗଗୁଡ଼ିକର ପ୍ରତିବିଧାନ ପାଇଁ ଉପସ୍ଥିତ ସମ୍ପୃକ୍ତ ବିଭାଗର ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଅନେକ ଲୋକଙ୍କ ବର୍ଷ ବର୍ଷ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ ହୋଇପାରୁଛି।

ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଓ ଅନ୍ୟ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ। 

ଅଭିଯୋଗକାରୀଙ୍କ ଆତ୍ମହତ୍ୟା ଧମକ, ବୁଝାଇଲେ ମୁଖ୍ୟମନ୍ତ୍ରୀ
ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗର ୧୪ତମ ପାଳି। ଅଭିଯୋଗ ଶୁଣାଣି ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲା କାଦୁଆପଡ଼ା ଅଞ୍ଚଳର ଜଗବନ୍ଧୁ ପଣ୍ଡା ନିଜ ଅଭିଯୋଗ ଶୁଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ଜଗବନ୍ଧୁ କହିଥିଲେ, ୩୦ବର୍ଷ ଧରି ପୂର୍ତ୍ତ ବିଭାଗର ଚାକିରି କରିବା ସତ୍ତ୍ବେ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ। ପତ୍ନୀ ପକ୍ଷାଘାତରେ ପୀଡ଼ିତ ଓ ପୁଅ ଭିନ୍ନକ୍ଷମ। ୫-୬ହଜାର ଟଙ୍କାରେ ଚଳିବା କଷ୍ଟକର ହୋଇପଡ଼ୁଛି। ବେଳେବେଳେ ବିଷ ଖାଇ ଦେବାକୁ ଇଚ୍ଛା ହେଉଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ବେଳେ ଆଜି ଜଗବନ୍ଧୁ ଆତ୍ମହତ୍ୟା ଧମକ ଦେଇଥିଲେ। ଏକଥା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ବୁଝାଇଥିଲେ। କହିଥିଲେ, ଆତ୍ମହତ୍ୟା ଏକ ଭଲ ଶବ୍ଦ ନୁହେଁ। କାହିଁକି ଏଭଳି କଥା କହୁଛ। କିଏ ଏଭଳି ଶିଖାଇ ପଠାଉଛି। ଗୋଟିଏ ତ ରାସ୍ତା ପାଇଛ.. ଖାଲି ଆତ୍ମହତ୍ୟା କରିବ। ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଛ, ଯଦି ଅଭିଯୋଗର ଯଥାର୍ଥତା ଥିଲେ ନିଶ୍ଚିତ ସାହାଯ୍ୟ ପାଇବ। କାହା କଥାରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଥିଲେ। 

ଅଭିଯୋଗ ପ୍ରକୋଷ୍ଠରେ ସାପ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଆଜି ସେଠାରୁ ଏକ ସାପ ଉଦ୍ଧାର କରାଯାଇଛି। ସ୍ନେକ୍ ହେଲ୍‌ପ ଲାଇନ୍‌ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ ସେଠାରୁ ଏକ ଢମଣା ସାପ ଛୁଆ ଉଦ୍ଧାର କରିଛନ୍ତି। ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି। ଶୁଣାଣି ଚାଲିଥିବାରୁ ଲୋକଙ୍କୁ ଭୟଭୀତ ନ କରିବାକୁ ଅଧିକ ଖୋଜା ଖୋଜି ହୋଇ ନ ଥିଲା। ଆବଶ୍ୟକ ପଡ଼ିଲେ ଶୁଣାଣି ନ ଥିବା ଦିନମାନଙ୍କରେ ସାପ ଖୋଜିବା କରାଯାଇପାରେ ବୋଲି ଶ୍ରୀ ମଲ୍ଲିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।