ଭୁବନେଶ୍ୱର: ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କର। ଏଥି ସହ ସହରାଞ୍ଚଳରେ ଥିବା ମୁକୁଳା ଡ୍ରେନ୍ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରେଳ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ୨୦୩୬ରେ ଆମେ ସମୃଦ୍ଧ ଓଡ଼ିଶା ଗଠନର ସ୍ୱପ୍ନ ଦେଖୁଛୁ। ସେ ଦୃଷ୍ଟିରୁ ରାଜ୍ୟର ସହରାଞ୍ଚଳଗୁଡ଼ିକ ହେଉଛି ବିକାଶର ପ୍ରତିଛବି। ସେଗୁଡ଼ିକର ରାସ୍ତାଘାଟ ଯଦି ପରିଷ୍କାର ପରିଚ୍ଛନ୍ନ ନ ରୁହେ, ଗର୍ତ୍ତମୁକ୍ତ ନ ହୁଏ ତେବେ ଆମର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।
ଉଦ୍ବେଗ ପ୍ରକାଶ କରି ସେ କହିଲେ, ଅନେକ ଛୋଟ ଛୋଟ ସମସ୍ୟା ପାଇଁ ଲୋକେ ସ୍ଥାନୀୟ ପ୍ରତିନିଧିଙ୍କ ଉପରେ ନିର୍ଭର ନ ହୋଇ ବିଧାୟକ କିମ୍ବା ସାଂସଦଙ୍କୁ ଅନୁରୋଧ କରିଥାନ୍ତି। ଯଦି ସ୍ଥାନୀୟ ସଂସ୍ଥାର ଅଧିକାରୀ କିମ୍ବା ଜନପ୍ରତିନିଧି ସେମାନଙ୍କ ଦାୟିତ୍ୱକୁ ସୁଚାରୁରୂପେ ପାଳନ କରିବେ, ତେବେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଏ ସବୁ ସମସ୍ୟାରେ ମୁଣ୍ଡ ପୂରେଇବାକୁ ଆବଶ୍ୟକ ହୁଅନ୍ତା ନାହିଁ। ଏବେ ସ୍ଥିତି ଏମିତି ହୋଇଛି ଯେ ରାସ୍ତାରେ ଖାଲଖମା, ଡ୍ରେନ୍ ମୁକୁଳା ପଡ଼ିବା ଭଳି ସମସ୍ୟା ନେଇ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆସି ପହଞ୍ଚି ଯାଉଛନ୍ତି। ଯେଉଁ କାମ ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନ କରିବା କଥା, ତାହା ସେଠାରେ ହୋଇପାରୁ ନଥିବା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଆସନ୍ତା ଏପ୍ରିଲ ମାସ ମଧ୍ୟରେ ରାଜ୍ୟର ସମସ୍ତ ପୌରାଞ୍ଚଳ ରାସ୍ତାଘାଟଗୁଡ଼ିକ ଯେପରି ଗର୍ତ୍ତମୁକ୍ତ ହେବ ତାହାକୁ ସୁନିଶ୍ଚିତ କର।
ଏପ୍ରିଲ ସୁଦ୍ଧା ପୌରାଞ୍ଚଳକୁ ଗର୍ତ୍ତମୁକ୍ତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱରର ୩୯୪ ପରିବାରକୁ ଗୃହ ବଣ୍ଟନ
ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ ସଂପ୍ରସାରିତ
‘ଆମ ବସ୍’ ପାଇଁ ହ୍ବାଟ୍ସଅପ୍ ଟିକେଟିଂ ସେବା
୧୫୭ କୋଟିରେ ୪୩ଟି ବହୁମୁଖୀ କେନ୍ଦ୍ର ଲୋକାର୍ପିତ
ରାଜ୍ୟରେ ୬ଟି ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ
ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଜନଶୁଣାଣି ହେବ, ସେଥିରେ ଯେପରି ରାସ୍ତାଘାଟ, ମୁକୁଳା ଡ୍ରେନ୍ ସମ୍ପର୍କିତ ଅଭିଯୋଗ ନ ଆସେ ତାହାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୌରାଞ୍ଚଳଗୁଡ଼ିକ ମୁକୁଳା ଡ୍ରେନ୍ ମୁକ୍ତ ହୋଇଥିବା ସମ୍ପର୍କରେ ଏପ୍ରିଲ ସୁଦ୍ଧା ସାର୍ଟିଫିକେଟ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୬ଟି ନୂତନ ଏନ୍ଏସି ଓ ୭ଟି ମ୍ୟୁନିସିପାଲଟି ନାମ ଘୋଷଣା କରିଥିଲେ। ୧୬ଟି ନୂତନ ଏନ୍ଏସି ହେଲା, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥପ୍ରସାଦ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ୭ଟି ନୂତନ ମ୍ୟୁନିସିପାଲିଟି ହେଲା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରା। ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୧ଟି ଏନ୍ଏସି ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ସେଥିମଧ୍ୟରୁ ୧୨ଟି ଏନ୍ଏସି ଗଠନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୋଟ ୨୮ଟି ନୂଆ ଏନ୍ଏସି ଓ ୭ଟି ନୂଆ ମ୍ୟୁନିସିପାଲଟି ସୃଷ୍ଟି ହେବ।
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସମ୍ପ୍ରସାରିତ ହୋଇଛି। ଏ ନେଇ ଆଜି ଏମ୍ଓୟୁ କରାଯାଇଛି। ସେହିପରି ଲୋକଙ୍କ ବିଭିନ୍ନ ଅଭିଯୋଗ, ପ୍ରଶ୍ନ କିମ୍ବା ପ୍ରସ୍ତାବ ପାଇଁ ଟୋଲ୍ ଫ୍ରି ନମ୍ବର-୧୯୨୯ର ଶୁଭାରମ୍ଭ ହୋଇଛି। ଏହାଦ୍ବାରା ଲୋକେ ଆଉ ପୌରପାଳିକା କାର୍ଯ୍ୟାଳୟକୁ ନ ଯାଇ ଫୋନ ଯୋଗେ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିବ। ନେସ୍ନାଲ କମନ୍ ମୋବିଲିଟି କାର୍ଡ (ଏନ୍ସିଏମ୍ସି), ‘ଆମ ବସ୍’ ବୁକିଂ ପାଇଁ ହ୍ବାଟ୍ସଆପ୍ ଟିକେଟିଂ ସେବା, ୧୦୯ କୋଟି ଟଙ୍କାରେ ୪୩ଟି ବହୁମୁଖୀ କେନ୍ଦ୍ର, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଲୋଗୋ, ୧୨ କୋଟି ଟଙ୍କା ବିନିଯୋଗରେ ପଳାଶୁଣୀରେ ସାମଗ୍ରୀ ପୁନରୁଦ୍ଧାର ସୁବିଧା ଓ ପ୍ରାୟ ୬ କୋଟି ଟଙ୍କା ବିନିଯୋଗରେ ଗାଡ଼କଣରେ ପ୍ଲାଜ୍ମା ପାଇରୋଲିସିସ୍ ୟୁନିଟ୍ ସୁବିଧାର ଲୋକାର୍ପଣ ହୋଇଛି। ଏଥିସହ ୩୦ କୋଟି ଟଙ୍କା ବିନିଯୋଗରେ ୬ଟି ଗୋଶାଳା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ସହ ଭୁବନେଶ୍ୱରର ୩୯୪ ପରିବାରକୁ ସୁଲଭ ବାସଗୃହ, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରିଥିଲେ।
ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି), ଆସ୍କା ଓ ଚିକିଟି ପୌରାଞ୍ଚଳକୁ ୨କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ କାମ କରୁଥିବା ଜଳସାଥୀ, ସ୍ବଚ୍ଛ ସାଥୀ, ପରିମଳ କର୍ମୀ ଓ ଶ୍ରେଷ୍ଠ ପୌରସଂସ୍ଥାକୁ ପୁରସ୍କୃତ କରାଯାଇଛି। ସହରାଞ୍ଚଳରେ ରାଜସ୍ୱ ସଂଗ୍ରହରେ ଉତ୍କର୍ଷ ହାସଲ କରିଥିବା ଧାମନଗର, ରେମୁଣା, କୋରାପୁଟ ପୌରାଞ୍ଚଳକୁ ୩କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିପରି ସଶକ୍ତ ହେବ ଏବଂ ସମସ୍ତ ନାଗରିକଙ୍କୁ ସୁବିଧାରେ ଗୁଣାତ୍ମକ ସେବା ମିଳିପାରିବ ସେ ନେଇ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ଧନ୍ୟବାଦ ଦେଇଥିଲେ।