ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା: ବିମାନ ବନ୍ଦରରେ ହଟହଟା ହେଲେ ଡାକ୍ତରୀ ଦଳ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଶୁକ୍ରବାର ଦିନ ବିଶେଷଜ୍ଞ ଡାକ୍ତରୀ ଦଳର ନୂଆପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ବିଶେଷଜ୍ଞ ଦଳ ବିମାନ ବନ୍ଦରରେ ସକାଳୁ ପହଞ୍ଚିଥିଲେ। ମାତ୍ର ପାଗ ଖରାପ ଥିବା ଦର୍ଶାଇ ଏହି ଗସ୍ତକୁ ଶେଷ ମୁହୂର୍ତରେ ବାତିଲ କରି ଦିଆଯାଇଛି। ତେବେ ବିମାନ ବନ୍ଦରରେ ବିଶେଷଜ୍ଞ ଡାକ୍ତରୀ ଦଳ ହଟହଟା ହୋଇଥିବା ସୂଚନା ମିଳିଛି।

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ପାଇଁ ଏସ୍‌ସିବି ମେଡିକାଲ କଲେଜର ୫ଜଣ ଓ ସମ୍ ହସ୍ପିଟାଲର ଜଣେ ଡାକ୍ତରଙ୍କୁ ମିଶାଇ ୬ଜଣ ବିଶେଷଜ୍ଞ ଦଳ ରହିଥିଲେ। ଶୁକ୍ରବାର ସକାଳେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ କେହି ଉପସ୍ଥିତ ନ ଥିବା ଜାଣିବାକୁ ପାଇଥିଲେ। ପରେ ସେମାନେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟହୋଇ ବିଶେଷଜ୍ଞ ଦଳ ଘରକୁ ଫେରି ଆସିଥିଲେ। କେବେ ପୁନର୍ବାର ନୂଆପଡ଼ା ଜିଲ୍ଲାକୁ ବିଶେଷଜ୍ଞ ଦଳ ଗସ୍ତ କରିବେ ତାହା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କୌଣସି ସୂଚନା ମିଳିନାହିଁ। ଏ ସଂପର୍କରେ ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ‌କୌଣସି ଉତ୍ତର ମିଳିପାରି ନାହିଁ।

ଉଲ୍ଲେଖ ଯେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଛି। ପ୍ରଥମେ ମାଲକାନଗିରି ଜିଲ୍ଲାକୁ ବିଶେଷଜ୍ଞ ଡାକ୍ତରୀ ଦଳ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର