ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିବା ପରେ ପୂର୍ବ ସରକାର ସମୟର ଅନେକ ଯୋଜନା ଭିନ୍ନ ରୂପରେ ପୂର୍ବଭଳି ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର ନାମ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ଓ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍ ବଦଳରେ ଏମ୍‌ସ ପ୍ଲସ୍ ପ୍ଲସ୍ ଭାବେ ରୂପାନ୍ତର କରାଯିବାକୁ ସରକାର ନିକଟରେ ସ୍ଥିର କରିଛନ୍ତି। ହେଲେ ରାଜ୍ୟର ୪ ଅପହଞ୍ଚ ଅଞ୍ଚଳରେ ଜଟିଳ ରୋଗୀ ସେବା ପାଇଁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏକପ୍ରକାର ବନ୍ଦ ହୋଇଯାଇଛି। ଗତ ୨ବର୍ଷ ହେବ କୌଣସି ବିଶେଷଜ୍ଞ ଦଳ ସଂପୃକ୍ତ ଜିଲ୍ଲାକୁ ଯାଇ ରୋଗୀ ସେବା ଦେଇ ନାହାନ୍ତି। ତେଣୁ ଏହି ଯୋଜନାଟି ଆଗକୁ ପ୍ରକୃତରେ ଚାଲିବ ନା ବନ୍ଦ ହୋଇଯିବ ତାହା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନାହିଁ। 

Advertisment

କାମଚଳା ସିଡିଏମ୍‌ଓଙ୍କୁ ନେଇ ଚାଲିଛି ୧୧ଜିଲ୍ଲା
୨୧ରୁ ଓପିଡି ବନ୍ଦ ଧମକ ଦେଲା ‘ଓମ୍‌ସା’

୨୦୨୧ ଡିସେମ୍ବର ୨୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରିଥିଲେ। କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଏସ୍‌ସିବି ସମେତ ଅନ୍ୟ ମେଡିକାଲ କଲେଜର ବିଶେଷଜ୍ଞ ଦଳ ବିମାନରେ ଯାଇ ସେଠାରେ ଜଟିଳ ରୋଗୀଙ୍କୁ ସେବା ପ୍ରଦାନ କରୁଥିଲେ। ଗୋଟିଏ ବର୍ଷ ଭିତରେ ୩୨ଶହରୁ ଅଧିକ ଲୋକ ଏହି ସେବା ପାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ କାରଣ ପାଇଁ ଏହାକୁ କିଛିଦିନ ପାଇଁ ବନ୍ଦ ରଖାଯାଇଥିଲା। ତେବେ ନୂଆ ସରକାର ଆସିବା ପରେ ଏହା ପୁନର୍ବାର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିଲା।  ମାତ୍ର ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ‌ଯେଉଁ ୪ଟି ଜିଲ୍ଲାରେ ଏହି ସେବା ମିଳିବ ସେମଧ୍ୟରୁ ୩ଟି ଜିଲ୍ଲାରେ ବହୁଦିନ ହେବ ସିଡିଏମ୍‌ଓ ନାହାନ୍ତି। ତେଣୁ ଜଟିଳ ରୋଗର ଚିକିତ୍ସା ପାଇଁ ଯେଉଁ ତାଲିକା ପ୍ରସ୍ତୁତ ହେଉଥିଲା ତାହା ପ୍ରକୃତରେ ହେଉଛି କି ନାହିଁ କେହି କହିପାରୁ ନାହାନ୍ତି। 

ଅପରପକ୍ଷରେ ରାଜ୍ୟରେ ବର୍ତ୍ତମାନ ୧୧ଟି ଜିଲ୍ଲାରେ ସିଡିଏମ୍‌ଓ ପଦବି ଖାଲି ରହିଛି। ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ବରଗଡ଼, ଝାରସୁଗୁଡ଼ାରେ କାମଚଳା ସିଡିଏମ୍‌ଓ ରହିଛନ୍ତି। ଯଦି ନିକଟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସିଡିଏମ୍‌ଓଙ୍କ ପଦୋନ୍ନତି ହୁଏ ତାହାଲେ ଏହି ଦୁଇ ଜିଲ୍ଲାରେ ମଧ୍ୟ ସିଡିଏମ୍‌ଓ ପଦବି ଖାଲି ହୋଇଯିବ। ତୁରନ୍ତ ଖାଲି ରହିଥିବା ଜିଲ୍ଲାରେ ସିଡିଏମ୍‌ଓଙ୍କୁ ନିଯୁକ୍ତି ଦେବା ଲାଗି ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍‌ସା) ତରଫରୁ ବାରମ୍ବାର ଦାବି କରାଯାଉଛି। ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ପାଲଟିଛନ୍ତି। ଗତମାସ ୨୦ତାରିଖରେ ଓମ୍‌ସାର ସାଧାରଣ ପରିଷଦ ବୈଠକରେ ଡାକ୍ତରଙ୍କ ରହିଥିବା ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିବା ଲାଗି ଓମ୍‌ସା ପକ୍ଷରୁ ରାଜ୍ୟ ସରକାରଙ୍କୁ ଗୋଟିଏ ମାସର ମହଲତ ଦିଆଯାଇଥିଲା। ଏହି ସମୟ ଭିତରେ ଯଦି ରାଜ୍ୟ ସରକାର କୌଣସି ଆଲୋଚନାକୁ ନ ଡାକନ୍ତି ତାହାଲେ ଚଳିତମାସ ୨୧ତାରିଖରୁ ରାଜ୍ୟବ୍ୟାପୀ ବହିର୍ବିଭାଗ(ଓପିଡି) ବନ୍ଦ କରାଯିବ। କେବଳ ଜରୁରିକାଳୀନ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ ବୋଲି ଓମ୍‌ସା ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାଟି କାର୍ଯ୍ୟକ୍ଷମ ରହିଛି। ତେବେ ଖରା ପାଇଁ ରୋଗୀ ପାଇଁ ଚିକିତ୍ସା ପାଇଁ ଆସୁନାହାନ୍ତି। ତେଣୁ ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ।