ଭୁବନେଶ୍ବର : ୩ ମାସର ବ୍ୟବଧାନ ପରେ ପୁଣିଥରେ ଉଡ଼ିବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ବିମାନ। କୋଭିଡ ପାଇଁ ଏହି ସେବା ବନ୍ଦ ରହିଥିବା ବେଳେ ଏଥର କଳାହାଣ୍ଡି ଜିଲ୍ଲାକୁ ବିଶେଷଜ୍ଞ ଦଳ ଗସ୍ତ କରିବେ। ଚଳିତମାସ ୨୯ ଓ ୩୦ତାରିଖରେ ଡାକ୍ତରୀ ଦଳ କଳାହାଣ୍ଡିରେ କ୍ୟାମ୍ପ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ପ୍ରାକ୍ ଡାକ୍ତରୀ ଦଳ ଆବଶ୍ୟକ ଔଷଧ ଓ ଅନ୍ୟ ଔଷଧୀୟ ସାମଗ୍ରୀ ସହ ଜିଲ୍ଲା ଗସ୍ତ କରିବାକୁ ନିର୍ଦେଶ ଦିଆଯାଇଛି।
ଗତବର୍ଷ ଡିସେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କରିଥିଲେ। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଉକୃଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମଥର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଭୁବନେଶ୍ବରରୁ ମାଲକାନଗିରି ଯାତ୍ରା କରିଥିଲା।
ମାତ୍ର ଚଳିତବର୍ଷ ଜାନୁଆରି ପ୍ରଥମ ସସ୍ତାହରେ ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହେବା ପରେ ଏହାକୁ ବନ୍ଦ ରଖା ଯାଇଥିଲା। ଚଳିତମାସ ୪ତାରିଖରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ କରିବା ଲାଗି ରାଜ୍ୟ ସରକାର ଜିଲ୍ଲାମାନ ସିଡିଏମ୍ଓଙ୍କୁ ଚିଠି ଲେଖିଥିଲେ। ୨୯ତାରିଖ ସକାଳ ସାଢ଼େ ୮ଟାରେ ୟୁରୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି ଓ ନେଫ୍ରୋଲୋଜିର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ବିମାନ କଳାହାଣ୍ଡିରେ ପହଞ୍ଚିବ। ୩୦ ତାରିଖରେ ଡାକ୍ତରୀ ଟିମ୍ ଫେରି ଆସିବ ବୋଲି ଉଲ୍ଲେଖ ରହିଛି। ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ କେବେ ଏହି ସେବା ଆରମ୍ଭ କରାଯିବ ତାହା ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।