ଭୁବନେଶ୍ବର/କଟକ: ବାଲେଶ୍ବର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣା ପରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହେବା ପରେ ବସ୍‌ ହିଁ ଏକମାତ୍ର ଭରସା ପାଲଟିଛି। କିନ୍ତୁ ଏହାର ଫାଇଦା ନେଇ କେତେକ ବସ୍‌ ମାଲିକ ଟିକେଟ୍‌ ଦର ବଢ଼ାଇ ଦେଇ ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକତା ଯିବା ପାଇଁ ବସ୍‌ରେ ଭଡ଼ା ପଡ଼ିବ ନାହିଁ। ଲୋକଙ୍କୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଆଜିଠାରୁ ହିଁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲେଶ୍ୱର ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ପୁରୀ, ଭୁବନେଶ୍ବର ଓ କଟକରୁ ଯାଉଥିବା ଲୋକ ଭଡ଼ା ଦେବେନି
ପ୍ରଥମ ପର୍ଯ୍ୟାୟରେ ୪୮ ଘଣ୍ଟା ପାଇଁ ସେବା, ଜାରି ହେଲା ହେଲ୍‌ପଲାଇନ୍ ନମ୍ବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପରେ ଏ ବାବଦରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଅଧିକ ସୂଚନା ଦେଇଛି। ପ୍ରାଥମିକ ପର୍ଯ୍ୟାୟରେ ୪୮ ଘଣ୍ଟା ପାଇଁ ଏହି ସେବା ଯୋଗାଇ ଦେବାକୁ ଯୋଜନା ହୋଇଛି। କାରଣ ବାଲେଶ୍ବର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି। ଯଦି ନ ହୁଏ ତେବେ ଏହି ମାଗଣା ବସ୍‌ ସେବାର ଅବଧି ବଢ଼ାଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ଦିନ କୋଲକାତା ଯାଉଥିବା ବସ୍‌ ସମେତ ଷ୍ଟେଟ୍‌ କ୍ୟାରେଜ୍‌ ପରମିଟ୍‌ ଥିବା ପ୍ରତ୍ୟେକ ବସ୍‌ ଏହି ତିନିଟି ସହରର ମୁଖ୍ୟ ବସ୍‌ଷ୍ଟାଣ୍ଡରୁ କୋଲକାତା ବସ୍‌ ଚଳାଚଳ କରିପାରିବେ। ଏହା ବାଦ୍‌ କୋଲକାତା ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ ମଧ୍ୟ ମାଗଣାରେ ଯାତ୍ରୀ ପରିବହନ କରିବ। ଯେଉଁମାନେ ପୂର୍ବରୁ ଟିକେଟ୍‌ କରି ସାରିଛନ୍ତି ସେମାନଙ୍କର ଏହି ଦେୟ ଫେରସ୍ତ କରିବାକୁ ଯୋଜନା ହୋଇଛି।

କୋଲକାତା ବସ୍‌ ଚଢ଼ିବା ପୂର୍ବରୁ ବସ୍‌ଷ୍ଟାଣ୍ଡରେ ହିଁ ଏହି ଅର୍ଥ ସେମାନଙ୍କୁ ଫେରସ୍ତ ଦେଇ ଦିଆଯିବ। ଏଥିରେ କୌଣସି ପ୍ରକାରର ସମସ୍ୟା ହେଲେ ଯାତ୍ରୀମାନେ ସମ୍ପୃକ୍ତ ସହରର ଆରଟିଓମାନଙ୍କୁ ଯୋଗାଯୋଗ କରିପାରିବେ। ପୁରୀ-୯୯୩୭୫୨୩୦୩୪, କଟକ ୯୪୩୭୯୪୦୩୯୯, ଭୁବନେଶ୍ବର(୧)-୯୪୩୮୧୫୫୯୯୯, ଭୁବନେଶ୍ବର(୨)-୯୪୩୮୫୩୩୦୦୦ ନମ୍ବରରେ ‌ଯୋଗାଯୋଗ କଲେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ତା ଛଡ଼ା ଏହି ସହରମାନଙ୍କର ବିଭିନ୍ନ ବସ୍‌ ମାଲିକ ସଂଘର ନମ୍ବର ମଧ୍ୟ ଜାରି କରାଯାଇଛି। ପୁରୀ-୯୮୬୧୦୯୫୭୬୨, କଟକ- ୭୦୦୮୩୨୧୩୯୯, ୯୪୩୭୦୦୦୭୪୯, ଭୁବନେଶ୍ବର-୮୮୯୫୭୫୪୨୬୨, ୯୪୩୯୨୨୨୪୪୪। ଯିବାଆସିବା କିମ୍ବା ଅଗ୍ରୀମ ଟିକେଟ୍‌ ଦେୟ ଫେରି ପାଇବାରେ ସମସ୍ୟା ହେଲେ ଏହି ସବୁ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପୁରୀ, ଭୁବନେଶ୍ୱର ଓ କଟକରୁ ଦୈନିକ ୫୦ଟି ବସ୍ କୋଲକତା ଯାଉଛି।

କୋଲକତାକୁ ବିମାନ ଭଡ଼ା ବଢ଼ିଗଲା

ଭୁବନେଶ୍ବର: କରମଣ୍ଡଳ ​ଟ୍ରେନ୍ ଦୁର୍ଘଟଣା ପରେ ଏବେ ଚେନ୍ନାଇ-କୋଲକତା ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାର ଫାଇଦା ଉଠାଇ କିଛି ଏୟାରଲାଇନ୍ସ ଚେନ୍ନାଇ-କୋଲକତା, ବେଙ୍ଗାଲୁର-କୋଲକତା, ଭୁବନେଶ୍ବର-କୋଲକତା ରୁଟ୍‌ରେ ବିମାନ ଭଡ଼ା ବଢ଼ାଇଦେଇଛନ୍ତି। କେବଳ ବିମାନ କମ୍ପାନି ନୁହେଁ, କିଛି ବସ୍‌ ମାଲିକ ମଧ୍ୟ ଭୁବନେଶ୍ବର, ଭଦ୍ରକ ଓ ବାଲେଶ୍ବରରୁ କୋଲକତାକୁ ଅଧିକ ଭଡ଼ା ଦାବି କରୁଥିବା ଅଭିଯୋଗ ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଟୁଇଟ୍‌ କରି କ୍ଷୋଭ ପ୍ରକାଶ କରିବା ସହ ଏସ୍‌ଟିଏ ଅସାଧୁ ବସ୍‌ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏହାପରେ ରାଜ୍ୟ ସରକାର କୋଲକତାକୁ ମାଗଣାରେ ବସ୍‌ ସେବା ଆରମ୍ଭ କରିଛନ୍ତି। ହେଲେ ବିମାନ ଭଡ଼ା ଏବେବି ଅଧିକ ରହୁଛି। ଯେପରି କୋଲକତାରୁ ବେଙ୍ଗାଲୁରକୁ ଇଣ୍ଡିଗୋ ବିମାନ ଭଡ଼ା ଆଜି ପାଇଁ ୧୬୨୮୮ଟଙ୍କା ଥିବାବେଳେ ସୋମବାର ପାଇଁ ୧୩୪୦୪ଟଙ୍କା, ମଙ୍ଗଳବାର ପାଇଁ ୧୦୯୯୮ଟଙ୍କା ରହିଛି। ସେହିପରି ଭୁବନେଶ୍ବରରୁ କୋଲକତାକୁ ବିମାନ ଭଡ଼ା ସୋମବାର ପାଇଁ ୮୨୬୮ଟଙ୍କା ରହିଥିବାବେଳେ ମଙ୍ଗଳବାର ପାଇଁ ୭୧୧୧ଟଙ୍କା, ବୁଧବାର ପାଇଁ ୫୪୩୩ଟଙ୍କା ରହିଛି।