ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡ଼ିଶାରେ ମେଟ୍ରୋ ରେଳ ସେବା ପାଇଁ ଅନୁମୋଦନ ଦେଇଥିବା ଘୋଷଣା କରିଛନ୍ତି। ଏହା ସ୍ୱାଗତଯୋଗ୍ୟ, କିନ୍ତୁ ଏହାର ବାସ୍ତବତାକୁ ନେଇ ସାଧାରଣରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

Advertisment

ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ), ଆର୍ଥିକ ବ୍ୟୟବରାଦ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତା ପ୍ରସ୍ତୁତ ହୋଇଛି କି? ଏହି ପ୍ରକଳ୍ପ ନିର୍ମାଣର ସଂପୂର୍ଣ୍ଣ ଖର୍ଚ୍ଚ କେବଳ ରାଜ୍ୟ ସରକାର ବହନ କରିବେ ନା କେନ୍ଦ୍ର ସରକାରଙ୍କ ଅଂଶ ରହିବ ? ଏହାର କୈାଣସି ସ୍ପଷ୍ଟତା ନଥିବା କାରଣରୁ ଓଡ଼ିଶାରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ଏପ୍ରିଲ ଫୁଲ୍ ନୁହେଁ ତ?

ଭୁବନେଶ୍ୱରରୁ କଟକ ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଜାନୁଆରି ୨୦୧୮ରେ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଏପରିକି ଭୋଟ ହାତେଇବା ଉଦ୍ଦେଶ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୨୦୧୯ ମସିହା ଏପ୍ରିଲ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ସେବା ଆରମ୍ଭ କରାଯିବ ବୋଲି ଟୁଇଟ୍ ଜରିଆରେ ଘୋଷଣା ମଧ୍ୟ କରିଥିଲେ। ଅପରପକ୍ଷେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୪୧ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମେଟ୍ରୋ ଟ୍ରେନର ଆବଶ୍ୟକତା ନଥିବାର ଗତ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ବିବୃତି ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଘୋଷଣା ବହୁ ସନ୍ଦେହ ସୃଷ୍ଟି କରୁଛି।