ଏବର୍ଷଠାରୁ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର : ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜିତ ହେବ।

ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର ପ୍ରାୟ ୫୦ହଜାର ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ତଥା ଶିକ୍ଷା ପରିଚାଳନାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଓ ସମ୍ବର୍ଦ୍ଧନା ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୧୦୦କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୯୪୧ ଛାତ୍ରଛାତ୍ରୀ ଓ ୧୫୫୯ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିବେ। ଆଜିର ବୈଠକରେ ଓଡ଼ିଶା ସମଗ୍ର ଶିକ୍ଷା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ରାମାଶିଷ ହାଜିରା, ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର