ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସରକାରୀ କଲେଜ ନାହିଁ ବୋଲି ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି। ତୁରନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଥିଲି। ତେବେ ଜିଲ୍ଲାରେ ଚଳିତବର୍ଷ ସରକାରୀ କଲେଜ ହେବ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ରେ ଜଗତସିଂହପୁର ଜିଲ୍ଲା ଉତ୍ସବ 'କଲ୍ଲୋଳ-୨୦୨୫'ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାଦୀପ ଏକ ବୃହତ୍ ବନ୍ଦରଭିତ୍ତିକ ନଗରୀ ହେବ। ଜାହାଜ ମରାମତି କାରଖାନା, ପେଟ୍ରୋ କେମିକାଲ୍ସ କାରଖାନା ସମେତ ଅନେକ ଶିଳ୍ପ ପ୍ରତିଷ୍ଠା ହେବ। ଏଠାରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ବିମାନବନ୍ଦର ପ୍ରତିଷ୍ଠା ହେବ। ଏ ନେଇ ସରକାର କାମ ଆରମ୍ଭ କରି ଦେଇଛନ୍ତି। ପୂର୍ବ ସରକାର(ବିଜେଡି) ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୧, ୨, ୩ କଲେ। କିନ୍ତୁ ଶିଳ୍ପ ଛିଡ଼ା ହୋଇପାରିଲା ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ।
ବୃହତ୍ ବନ୍ଦରଭିତ୍ତିକ ନଗରୀ ହେବ ପାରାଦୀପ
୨ ଲକ୍ଷ କୋଟି ପୁଞ୍ଜି ବିନିଯୋଗ ହେବ
ଆମ ସରକାର ଯାହା ପ୍ରତିଶ୍ରୁତି ଦେଉଛି ତାକୁ ପୂରଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବଳ ଇଚ୍ଛାଶକ୍ତି ଯୋଗାଇ ଦେଉଛନ୍ତି ବୋଲି ସେ କହିଥିଲେ।
ଅଳକା ନଦୀ ସତ୍ତା ହରାଇଛି। ନଈରେ ଜବରଦଖଲ ହୋଇଛି। ଏହାର ପୁନରୁଦ୍ଧାର କରାଯିବ। ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟୟବରାଦ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଉନ୍ନତି କରାଯିବ। ଉଦ୍ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଅଧିକ ତଥ୍ୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟବକ୍ତା ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ୨୦୩୬ ପାଇଁ ଯେଉଁ ଯୋଜନା ହେବ ତାହା ଏହି ସରକାର ପୂରଣ କରିବ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଥିଲେ ଯେ ତିର୍ତ୍ତୋଲ ସ୍ଥିତ ଶାରଳା ସୂତାକଳକୁ ପୁନରୁଦ୍ଧାର କିମ୍ବା ନୂଆ ଶିଳ୍ପ କରିବାକୁ ଯୋଜନା କରାଯାଉଛି। ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ଯେ ଜିଲ୍ଲାର ଉନ୍ନତି ପାଇଁ ଯାହା ସହ ମିଶିବାକୁ ପଡ଼ିବ ସେମାନଙ୍କ ସହ ମିଶିବୁ। ଅଳକାର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଜିଲ୍ଲାପାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ଓ ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗ ଦେଇଥିଲେ।