ଭୁବନେଶ୍ବର: ପ୍ରଚାରର ଶେଷ ଦିନରେ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲିରେ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କ ମତ ନେଇଥିଲେ। ବି.ଏସ୍‍.କେ.ୱାଇ., ମିସନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍, ୫-ଟି ସ୍କୁଲ ରୁପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିରର କାମ ଆଦି କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ। ସମବେତ ଜନତା ଏକ ସ୍ବରରେ କହିଥିଲେ, ‘ବହୁତ ଭଲ’। ମୁଖ୍ୟମନ୍ତ୍ରୀ ପୁଣି ପଚାରିଥିଲେ, ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଆପଣମାନେ ଖୁସି ତ? ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ପ୍ରଚାର ବେଳେ ବିରୋଧୀଙ୍କୁ ମଧ୍ୟ ସମାଲୋଚନା କରିଥିଲେ ନବୀନ। ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଥିଲେ।

Advertisment

ବିଜେଡି ନେତା ଭି କେ ପାଣ୍ଡିଆନ୍ କହିଲେ, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସ୍ନେହ ତଥା ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମକୁ ସମ୍ମାନ ଦେଇ ମୁଁ ରାଜନୀତିକୁ ଆସିଲି। ଏବେ ମଧ୍ୟ ରାଜନୀତି ଶିଖି ନାହିଁ। କିନ୍ତୁ ଆପଣମାନଙ୍କ ଭଲ ପାଇବା ପାଇଛି। ଆପଣମାନଙ୍କ ଆଶୀର୍ବାଦ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣିଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ମାଗଣା ବିଜୁଳି, ଲକ୍ଷ୍ମୀ ବସରେ ୫ ଟଙ୍କାରେ ଯିବା ଆସିବା, ସ୍କଲାରସିପ୍‍, ମଧ୍ୟମ ବର୍ଗଙ୍କ ପାଇଁ କମ୍‍ ସୁଧରେ ଶିକ୍ଷାଋଣ ଇତ୍ୟାଦି ଆପଣମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି କରୁଛନ୍ତି ? କାରଣ ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର, ସେ ହେଉଛନ୍ତି ପରିବାରର ମୁଖିଆ। ଆପଣମାନଙ୍କୁ ଖୁସିରେ ରଖିବା ପାଇଁ ଓ ମୁଣ୍ଡ ଉପରୁ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ସବୁ କରୁଛନ୍ତି। ସମସ୍ତଙ୍କର ନିଜ ପିଲାଙ୍କୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ଆଇ.ଏ.ଏସ୍‍. କରିବାର ଗୋଟେ ସ୍ୱପ୍ନ ଥାଏ। ପିଲାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଆତ୍ମବିଶ୍ୱାସ ଦେଉଛନ୍ତି।

ପାଣ୍ଡିଆନ୍ ଆହୁରି କହିଥିଲେ, ଆନ୍ତରିକତାର ସହ ରାଜନୀତିରେ ସେବା ମନୋଭାବକୁ ନେଇ ଆସିଛନ୍ତି ଆମ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବିଜେପି ନେତା କ୍ଷମତା ପାଇଁ ରାଜନୀତି କରୁଛନ୍ତି। ବାହାରୁ ଆସୁଥିବା ନେତାମାନେ ଆମ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି, ଅସମ୍ମାନିତ କରୁଛନ୍ତି। ଆମେ ତାହାକୁ ସହିବା କି ? ୧ ତାରିଖ ଭୋଟ୍‌ରେ ତା’ର ଜବାବ ଆପଣମାନେ ଦେବେ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି, ସେ ମୋତେ ସୁଯୋଗ ଦେଲେ ରାଜ୍ୟର ୧୪୭ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ଆଶୀର୍ବାଦ ଆଣିବା ପାଇଁ। ସେଥି ପାଇଁ ମୁଁ ଚିର ଋଣୀ। ମାଲକାନଗିରିରୁ ମୟୂରଭଞ୍ଜ ଓ ଝାରସୁଗୁଡ଼ାରୁ ଜଗତସିଂହପୁର ପର୍ଯ୍ୟନ୍ତ ସବୁ ବିଜେଡି କର୍ମୀ ଓ ନେତା ବହୁତ ପରିଶ୍ରମ କରିଛନ୍ତି, ଖରା ବର୍ଷାରେ ଏମିତି ବିରାଟ କାର୍ଯ୍ୟକ୍ରମ କରିଛନ୍ତି, ସେମାନଙ୍କ ପାଖରେ ମୁଁ ଋଣୀ।