ଜଗତସିଂହପୁର/ଭୁବନେଶ୍ବର: ସୁଦାନରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଦ୍ରୋହୀଙ୍କ ଦ୍ବାରା ଅପହରଣ ପରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣାର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଆମ ସରକାର ଯଥେଷ୍ଟ ସମ୍ବେଦନଶୀଳ ଅଛନ୍ତି। ସରକାର ଏହାକୁ ଗୁରୁତ୍ବର ସହ ବିଚାର କରୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କଥାବାର୍ତ୍ତା କରାଯାଇଛି। ସୁଦାନରେ ଗୃହଯୁଦ୍ଧ ଚାଲିଥିବାରୁ ସୁରକ୍ଷିତ ଉଦ୍ଧାର କରି ଆଣିବା ଏକ ଚ୍ୟାଲେଞ୍ଜ। ଭାରତ ସରକାରଙ୍କ ନିକଟରେ ଆମର ଦାବି ରହିଛି। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ ଚାଲିଛି। ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବା ପାଇଁ ଆଲୋଚନା କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଆଜି ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ମଧ୍ୟ ସୁଦାନରେ ପଣବନ୍ଦୀ ଥିବା ତାଙ୍କ ନିର୍ବାଚନମଣ୍ଡଳୀର ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। 

Advertisment

ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ରାଜ୍ୟ ସରକାର

ଉଲ୍ଲେଖଯୋଗ୍ୟ ଯେ ସୁଦାନରେ ପଣବନ୍ଦୀ ଥିବା ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ ଆଜି ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମରୁ ଏ ସଂପର୍କରେ ଜାଣିବା ପରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ଏ ନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ର ଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍‌ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି।