ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜୀକରଣ

ଜିଲ୍ଲାପାଳମାନେ ମଧ୍ୟ ଅଭିଯୋଗ ଶୁଣାଣି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବେ

ଭୁବନେଶ୍ବର: ଜୁଲାଇ ୧ତାରିଖ (ସୋମବାର) ଠାରୁ ଭୁବନେଶ୍ବରର ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରୁ ସେଠାରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ। ତେଣୁ ଏହି ଅଭିଯୋଗ ଶୁଣାଣି ପାଇଁ ସେହିଦିନ ଉକ୍ତ ସ୍ଥାନରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବେ।

ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ହୋଇଥିବାବେଳେ ଏହା ପୁଣି ଆରମ୍ଭ ହେବାକୁ ଯାଉଛି। ଏହାସହ ପ୍ରତି ସୋମବାର ଯେଉଁଠାରେ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ ସେଠାରେ ପୁଣି ସୋମବାରଠାରୁ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ସ୍ଥିର ହେବା ପରେ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଆଜି ପୂର୍ତ୍ତ, ୱାଟ୍‌କୋ ଏବଂ ଅନ୍ୟ ବିଭାଗର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ଏଠାକୁ ଆସୁଥିବା ଲୋକ ଯେପରି ହଇରାଣ ହେବେନି, ସମସ୍ତଙ୍କୁ ପିଇବା ପାଣି ମିଳିବ, ବର୍ଷା ଓ ଖରାରୁ ରକ୍ଷା ପାଇବାକୁ ଉପରେ ସେଡ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବାହ୍ନ ୯ଟାରୁ ଅଭିଯୋଗଗୁଡ଼ିକ କିପରି କ୍ରମାନୁସାରେ ପଞ୍ଜୀକରଣ ହେବ, କିପରି ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ସେନେଇ ଆଲୋଚନା ହୋଇଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବହୁ ବର୍ଷ ଧରି ଆସୁନଥିବାରୁ ଏହାକୁ ନେଇ କଡ଼ା ସମାଲୋଚନା କରାଯାଉଥିଲା। ହେଲେ ନୂଆ ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ଲୋକଙ୍କ ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦେଇଥିବାବେଳେ ଏବେ ନିଜ ଅଭିଯୋଗ ପ୍ରକୋଷ୍ଠରେ ବସି ଅଭିଯୋଗ ଶୁଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ଲୋକଙ୍କର ଦୀର୍ଘ କାଳର ସମସ୍ୟା ସମାଧାନ ହେବାର ଅାଶା ସଞ୍ଚାର ହୋଇଛି।

ସମ୍ବନ୍ଧିତ ଖବର