ଭୁବନେଶ୍ବର: ଦାନ ମାଝୀର ଅଞ୍ଚଳ ଥୁଆମୂଳ-ରାମପୁର, ଯାଜପୁରର ନଗଡ଼ା ଭଳି ଆଜି ଅନେକ ନଗଡ଼ା ଓଡ଼ିଶାରେ ଅଛି। ଦାନ ମାଝୀ ଭଳି ଅନେକ ଲୋକ ହଇରାଣ ହେଉଛନ୍ତି। ନବରଙ୍ଗପୁରରେ ଜଣେ ଗର୍ଭବତୀଙ୍କୁ ଖଟରେ ବୋହିକି ନେଉଥିବା, ଟ୍ରାକ୍ଟରରେ ଗର୍ଭବତୀଙ୍କୁ ନେଉଥିବା ବିଭିନ୍ନ ଗଣମାଧ୍ୟମରେ ଦେଖିଲି। ବହୁ ଜିଲ୍ଲାରେ ଅପହଞ୍ଚ ଅଞ୍ଚଳ, ଗାଁ ଅଛି ଯେଉଁଠି ଆମେ ପହଞ୍ଚି ପାରିନାହୁଁ। ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍‌ଗୁଡ଼ିକର ଏକ କାର୍ଯ୍ୟକ୍ରମରେ ଆଜି ଏମିତି ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଗାମୀ ଦିନରେ କିପରି ସମସ୍ତଙ୍କ ନିକଟରେ ମୌଳିକ ସେବା ପହଞ୍ଚା ଯାଇପାରିବ, ସେଥିପାଇଁ ପାରୁ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
Advertisment
ଜିଲ୍ଲାପାଳ ଓ ବିଡିଓମାନଙ୍କୁ ଦାୟିତ୍ବ ଦେବା ସହ ଭରସା ଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ମୌଳିକ ସମସ୍ୟାଗୁଡ଼ିକୁ ପ୍ରଥମେ ଆପଣମାନେ ଫୋକସ୍ କରନ୍ତୁ। ସେଠାକୁ କିପରି ଯୋଗାଯୋଗ ପାଇଁ ରାସ୍ତା, ପୋଲ ନିର୍ମାଣ ହୋଇପାରିବ ସେଥିପାଇଁ ଜିଲ୍ଲାପାଳ ଓ ବିଡିଓମାନେ ଫୋକସ୍ କରନ୍ତୁ। ସରକାରଙ୍କ ପ୍ରାଥମିକତା ସବୁ ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା। ଯଦି ଗୋଟିଏ ଗାଁକୁ ଗାଡ଼ି ଯିବା ଭଳି ରାସ୍ତା, ନାଳ ଉପରେ ପୋଲ ନ କରିପାରିବା ତେବେ ଆମେ କ’ଣ କରିପାରିବା? ଏଥିପାଇଁ ଉନ୍ନୟନ କମିସନରଙ୍କୁ କୁହନ୍ତୁ, ମୁଖ୍ୟ ସଚିବଙ୍କୁ ସିଧାସଳଖ ଚିଠି ଲେଖନ୍ତୁ। ଯଦି ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କେହି ଶୁଣୁନାହାନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଚିଠି ଲେଖନ୍ତୁ। ନିଶ୍ଚିତ ଭାବେ ଆମେ ଏହି ସମସ୍ୟାଗୁଡ଼ିକୁ ସୁଧାରିପାରିବା।  
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଆୟୋଜିତ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍‌ଗୁଡ଼ିକରେ ରାଜ୍ୟସ୍ତରୀୟ ‘ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଲେ, ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍‌ କାର୍ଯ୍ୟକ୍ରମରେ ତୃଣମୂଳସ୍ତରରେ ଯୋଜନା କିପରି କାର୍ଯ୍ୟକାରୀ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଦକ୍ଷତା ବିକାଶକୁ ଆଧାର କରି ସାମାଜିକ ଅର୍ଥନୈତିକ ସୂଚକାଙ୍କ ମାଧ୍ୟମରେ ସମାବେଶୀ ବିକାଶର ଲକ୍ଷ୍ୟ ହାସଲ ନେଇ କାର୍ଯ୍ୟ କରାଯାଉଛି। ଏହି ଯୋଜନାକୁ ଜିଲ୍ଲା ପରେ ଏବେ ବ୍ଲକ୍‌କୁ ସମ୍ପ୍ରସାରଣ କରାଯାଇଛି। ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ୍‌ କାର୍ଯ୍ୟକ୍ରମ ଏକ ସଫଳ ମଡେଲ୍ ସାବ୍ୟସ୍ତ ହୋଇଛି। ଏହା ଦ୍ବାରା ଆଗାମୀ ଦିନରେ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ ହେବ।
ଅପହଞ୍ଚ ଅଞ୍ଚଳର ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କଲେ
ଯୋଗାଯୋଗ ଭିତ୍ତିଭୂମି ଉପ‌ରେ ଜିଲ୍ଲାପାଳ ଓ ବିଡିଓ ଫୋକସ୍ କରନ୍ତୁ
ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ ହେବ
ଡିଜିଟାଲ ଇ-ମାର୍କେଟ୍‌ରେ ଉପଲବ୍ଧ ହେବ ଆକାଂକ୍ଷୀ ଜିଲ୍ଲାର ଉତ୍ପାଦ
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ପକ୍ଷରୁ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଆକାଂକ୍ଷା ବ୍ରାଣ୍ଡର ଶୁଭାରମ୍ଭ ହୋଇଛି। ଏହି ଆକାଂକ୍ଷା ବ୍ରାଣ୍ଡକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆଜିଠାରୁ ଏକ ସପ୍ତାହବ୍ୟାପୀ ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ ହେଲା। ଏହା ଦ୍ବାରା ଆମ ରାଜ୍ୟର ଦୁର୍ଗମ ତଥା ଅନୁନ୍ନତ ଅଞ୍ଚଳରେ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଉପଲବ୍ଧତା ବୃଦ୍ଧି ପାଇବ।  ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ ଜିଲ୍ଲା ଏବଂ ବ୍ଲକ୍‌ର ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସମସ୍ତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରୁଛନ୍ତି। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ। ରାଜ୍ୟର ୧୦ଟି ଜିଲ୍ଲା ସାମୂହିକ ଭାବେ ୧୬୫ କୋଟି ଟଙ୍କା ପୁରସ୍କାର ପାଇବାରେ ସଫଳ ହୋଇଛି। ଯେଉଁ ଜିଲ୍ଲାଗୁଡ଼ିକ ଆଶାନୁରୂପ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି, ସେମାନେ ନିରାଶ ନ ହୋଇ ଆହୁରି ଅଧିକ କଠିନ ପରିଶ୍ରମ କରନ୍ତୁ।
ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍‌ଗୁଡ଼ିକ ପାଇଁ ଘୋଷଣା ହୋଇଥିବା ପୁରସ୍କାରକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ମାଲକାନଗିରିନବରଙ୍ଗପୁର ସ୍ବର୍ଣ୍ଣ ପଦକ, କନ୍ଧମାଳକୋରାପୁଟ ରୌପ୍ୟ ପଦକ, ଢେଙ୍କାନାଳ, ଗଜପତି, କଳାହାଣ୍ଡିନୂଆପଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମରେ ଖୈରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ଡାବୁଗାଁ ଭଳି ୪ଟି ବ୍ଲକ୍‌ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଅନ୍ୟ ୭ଟି ବ୍ଲକ୍‌ ରୌପ୍ୟ ପଦକ, ୩ଟି ବ୍ଲକ୍‌ କାଂସ୍ୟ ପଦକ ଏବଂ ୧୧ଟି ବ୍ଲକ୍‌ ତାମ୍ର ପଦକ ପାଇଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜା କହିଥିଲେ, ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ସମସ୍ତଙ୍କୁ ନେଇ ଟିମ୍‌ ୱର୍କ କରିବା ଏକ ବହୁତ ବଡ଼ ଉପଲବ୍ଧି। ଜିଲ୍ଲାରେ ଅଭିବୃଦ୍ଧି ମନୋଭାବ ସହିତ କାମ କରିବା ହିଁ ପ୍ରକୃତ କାର୍ଯ୍ୟ ଦକ୍ଷତା। ସମସ୍ତ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍‌ ଆଜି ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ପୁରସ୍କୃତ ହେଉଛନ୍ତି। ଏହାହିଁ ବିକାଶର ମନୋବୃତ୍ତି, ଟିମ୍‌ୱର୍କର ଲକ୍ଷଣ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇ କହିଥିଲେ, ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଇପାରୁଛି। ଶେଷରେ ଯୋଜନା ଏବଂ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଟି. ଆଓ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓମାନେ ଉପସ୍ଥିତ ଥିଲେ।