ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୁପ୍ତରେ ଜିଲ୍ଲା ଗସ୍ତ କର, ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରି ମାନ ଯାଞ୍ଚ କର

ଭୁବନେଶ୍ବର: ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥଶ୍ରମର ସ୍ଥିତି ପରଖନ୍ତୁ । ଏହାଛଡା ସ୍କୁଲ ଓ ଆହାରକେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଯାଞ୍ଚ କରନ୍ତୁ । ଆଉ ଏଥିପାଇଁ ବିଭିନ୍ନ ସ୍କୁଲ, ଅନାଥଶ୍ରମ ଓ ଆହାର କେନ୍ଦ୍ରକୁ ଅଚାନକ ଗସ୍ତ କରନ୍ତୁ ମନ୍ତ୍ରୀ । ଏଭଳି  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଦ୍ୟାଳୟକୁ  ଅଚାନକ ଗସ୍ତ କରି ମଧ୍ୟାହ୍ନ ଭୋଜନ କରିବା ଦ୍ୱାରା ଉକ୍ତ ଅନୁଷ୍ଠାନ ଗୁଡିକର ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ ମନ୍ତ୍ରୀ । ଯାହାଦ୍ୱାରା ଉକ୍ତ ଅନୁଷ୍ଠାନଗୁଡ଼ିକର ଅଧିକ ଆବଶ୍ୟକତା କ’ଣ ଓ ପରିଚାଳନାରେ କ’ଣ ତ୍ରୁଟି ରହୁଛି ତାହା ସହଜରେ ଜଣାପଡିବ । ତେବେ ଏଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବାକୁ କୁହାଯାଇଛି । ୩-୪ ଜଣରୁ ଯେପରି ଅଧିକ ଲୋକ ଏହି ଗୁପ୍ତ କାର୍ଯ୍ୟକ୍ରମରେ ଯେପରି ସାମିଲ ନ ହୁଅନ୍ତି ସେଥିପାଇଁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଚାନକ ଗସ୍ତ ସମ୍ପର୍କରେ ଟିକିନିକି ତଥ୍ୟ ମାସିକିଆ ରିପୋର୍ଟରେ ଉଲ୍ଲେଖ ରଖିବାକୁ ମନ୍ତ୍ରୀ ମାନଙ୍କୁ କୁହାଯାଇଛି । ଏହାଛଡା ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର