ବ୍ରହ୍ମପୁର: ଶିଳ୍ପବିହୀନ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରୋଜଗାର ନ ପାଇ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି। ଜିଲ୍ଲାର ପ୍ରାୟ ୫ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି। ସେଥିମଧ୍ୟରୁ କେବଳ ସୁରତ ସହରରେ ୩ରୁ ସାଢ଼େ ୩ଲକ୍ଷ ଲୋକ ଅଛନ୍ତି। ସୁରତରେ ଥିବା ସୂତାକଳ ଓ ବୟନଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଏହି ଶ୍ରମିକମାନେ କାମ କରୁଛନ୍ତି। ଏବେ ଏହି ବୟନଶିଳ୍ପ କାରବାର ସୁରତର ଅର୍ଥନୀତିର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହାର ମେରୁଦଣ୍ଡ ସାଜିଛନ୍ତି ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ। କିନ୍ତୁ ଏମାନଙ୍କୁ ଗଞ୍ଜାମ ଜିଲ୍ଲାରେ ଥଇଥାନ କରିବାରେ ରାଜ୍ୟ ସରକାର ଫେଲ୍ ହୋଇଛନ୍ତି। ଆସିକାର ବହୁ ପୁରାତନ ବାଲାଜୀ ସମବାୟ ସୂତାକଳରେ ୧୫ ବର୍ଷ ହେଲା ତାଲା ପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ କେବଳ ଘୋଷଣାରେ ରହିଗଲା। ଫଳରେ ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ଲୋକ ସୁରତ ସୂତାକଳରେ ଦାଦନ ଭାବେ ଖଟିବାକୁ ବାଧ୍ୟ ହେଉଛନ୍ତି।
/sambad/media/post_attachments/wp-content/uploads/2023/09/64654gjddgjdgjdgj.jpg)
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଶିଳ୍ପାୟନ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ଗଞ୍ଜାମରେ ଶିଳ୍ପର ବିକାଶ ସ୍ବପ୍ନ ଅଧୁରା ରହି ଯାଇଥିବା ବେଳେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରୁ ପ୍ରତିଦିନ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଲୋକ ଯାଉଛନ୍ତି। ସେଠାରେ ବିପଦସଂକୁଳ ଅବସ୍ଥାରେ କାମ କରି ଶେଷରେ ଜୀବନ ହାରୁଛନ୍ତି। ଗତ ପ୍ରାୟ ୬ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨୮ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟି ସାରିଛି। ଦାଦନ ଶ୍ରମିକଙ୍କୁ ଓଡ଼ିଶାରେ ନିଯୁକ୍ତି ଦେବା କ୍ଷେତ୍ରରେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଗଞ୍ଜାମ ସମେତ ସାରା ରାଜ୍ୟରୁ ସୁରତକୁ ଦାଦନ ଶ୍ରମିକଙ୍କ ସୁଅ ଛୁଟୁଛି। ଏପରିକି ସୁରତରେ ଓଡ଼ିଆ ଲୋକଙ୍କ ସଂଖ୍ୟା ଏତେ ଅଧିକ ରହିଛି ଯେ, ତାହା ‘ମିନି ଓଡ଼ିଶା ଭାବେ ପରିଚୟ ସୃଷ୍ଟି କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ସୁରତ ଯାଇ ଓଡ଼ିଶା ମହୋତ୍ସବରେ ଯୋଗଦେଇ ପରୋକ୍ଷରେ ଦାଦନ ଶ୍ରମିକଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଛି। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ କେବଳ ଭୋଟ୍ ଭିକ୍ଷା କରିବେ ନା ଦାଦନ ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ରହିଲା।
ଏଠି ତାଲା, ସୁରତ ସୂତାକଳରେ ୩ ଲକ୍ଷ ଗଞ୍ଜାମ ଶ୍ରମିକ
ଗଞ୍ଜାମରେ ବେକାରୀ, ଓଡ଼ିଆ ଦାଦନଙ୍କୁ ନେଇ ଗୁଜରାଟ ସମୃଦ୍ଧ
ସୂଚନା ଅନୁସାରେ ସୁରତରେ ପ୍ରାୟ ୫୦ହଜାର ଛୋଟବଡ଼ ବୟନଶିଳ୍ପ ଉଦ୍ୟୋଗ ରହିଛି। କରୋନା ସମୟରେ ଜାରି ହୋଇଥିବା ଲକ୍ଡାଉନ୍, ସଟ୍ଡାଉନ୍ ସମୟରେ ସୁରତର ସମସ୍ତ ସୁତାକଳ ବନ୍ଦ ହୋଇ ଯାଇଥିଲା। ଲକ୍ଷାଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ। କରୋନା କଟକଣା ହଟିବା ପରେ ଧୀରେ ଧୀରେ ସୁରତରେ ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ସେଠାକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ସୁରତରେ ଅଧିକାଂଶ ସୂତାକଳ ଆରମ୍ଭ ହୋଇ ପାରି ନଥିବା ବେଳେ ମାଲିକମାନେ କ୍ଷତି ସହିଥିଲେ। ଏଣୁ ବାଧ୍ୟ ହୋଇ ସୁରତର ବିଭିନ୍ନ ସୁତାକଳ ମାଲିକ ବସ୍ କରି ଗଞ୍ଜାମ ଜିଲ୍ଲାକୁ ଆସି ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ନେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ସୁରତର ଅର୍ଥନୈତିକ ଅଭିବୃଦ୍ଧିରେ କିଭଳି ଭୂମିକା ଗ୍ରହଣ କରୁଛନ୍ତି। କିନ୍ତୁ ଓଡ଼ିଶା ସରକାର ଦାଦନ ଶ୍ରମିକଙ୍କୁ ଥଇଥାନ କରିବାରେ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ପଛଘୁଞ୍ଚା ଦେଉଛନ୍ତି। ଯଦି ଏହି ଶ୍ରମକଙ୍କ ପାଇଁ ନିଜ ଜିଲ୍ଲାରେ ନିଯୁକ୍ତ ସୁଯୋଗ ସୃଷ୍ଟି କରାଯାଇ ପାରନ୍ତା, ତେବେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ବେକାରୀ ସମସ୍ୟା ମଧ୍ୟ ଧୀରେ ଧୀରେ ସମାଧାନ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଫେଡେରେସନ୍ ଅଫ୍ ସୁରତ ଟେକ୍ସଟାଇଲ୍ ଟ୍ରେଡର୍ସ (ଏଫ୍ଓଏସ୍ଟିଟି)ର ସଭାପତି ମନୋଜ ଅଗ୍ରୱାଲ୍ କହନ୍ତି, ସୁରତର ବିଭିନ୍ନ ବୟନଶିଳ୍ପ ଉଦ୍ୟୋଗରେ ପ୍ରାୟ ୭ଲକ୍ଷ ପାୱାର୍ଲୁମ୍ ମେସିନ୍ ରହିଛି। ଦେଢ଼ଲକ୍ଷରୁ ଅଧିକ ଲୁଗା ଡିଜାଇନ୍ କରିବା ମେସିନ୍ ରହିଥିବା ସେ କହିଛନ୍ତି। ଗୁଜରାଟର ବୟନଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବିଭିନ୍ନ ରାଜ୍ୟର ଶ୍ରମିକ କାମ କରୁଛନ୍ତି। ତନ୍ମଧ୍ୟରୁ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରମିକଙ୍କ ସଂଖ୍ୟା ଅଧିକ। କିନ୍ତୁ ଏହି ଦାଦନ ଶ୍ରମିକଙ୍କ ସମ୍ପର୍କରେ ଓଡ଼ିଶା ଶ୍ରମ ବିଭାଗ ପାଖରେ କୌଣସି ପ୍ରକାର ସଠିକ୍ ହିସାବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/CMs-District-is-Below-From-All-in-Odisha_Thumbnail.jpg)