ପ୍ରଗତିଶୀଳ ରାଜ୍ୟ ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ: ମନ୍ତ୍ରୀ ଆରୁଖ

ଦ୍ବିତୀୟ ପର୍ଯ୍ୟାୟରେ ୨୩୦ ସ୍ମାର୍ଟ ବିଦ୍ୟାଳୟକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି। ୫-ଟି ଉପକ୍ରମରେ ହାଇସ୍କୁଲ ଗୁଡିକର ରୂପାନ୍ତରିତ କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଧାରା ସମଗ୍ର ରାଜ୍ୟରେ ଜାରି ରହିଛି। ଆଜି ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୨୩୦ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ସ୍ମୃତି ସରକାରୀ ପୌର ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍‌ଘାଟନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଓଡ଼ିଶାକୁ ଉନ୍ନତ ତଥା ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ।

ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀ ବିଜୁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ଼ ଜରିଆରେ ସଠିକ୍‌ ସ୍ଵାସ୍ଥ୍ୟ ସୁବିଧା ପାଉଥିବା ବେଳେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନୂଆ ଉତ୍ସାହ ଦେଖାଦେଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଚିକିଟି ବିଧାୟିକା ଉଷାଦେବୀ, ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ, ଖଲ୍ଳିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ଵାଇଁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ମଞ୍ଚାସିନ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ଵାଗତ ଭାଷଣ ଦେବା ସହ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୩୩ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି କହିଥିଲେ। ବିନାୟକ ଆଚାର୍ଯ୍ୟ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଅର୍ପିତା ଚୌଧୁରୀ ସ୍ମାର୍ଟ ସ୍କୁଲର ଅନୁଭୂତି କହିବା ସହ ସ୍ମାର୍ଟ ସ୍କୁଲ ହେବା ଫଳରେ ଏହା କୌଣସି ବେସରକାରୀ ସ୍କୁଲ ଠାରୁ କମ୍ ମନେ କରୁନାହୁଁ ବୋଲି କହିଥିଲେ। ଏଥିରେ ଶିକ୍ଷକମାନେ ଅତି ସହଜରେ ଶିକ୍ଷାଦାନ ଦେଉଛନ୍ତି ବୋଲି କହିଥିଲେ। ବିଦ୍ୟାଳୟରେ ପାୱାର ପଏଣ୍ଟ ବ୍ୟବହାର କରାଯାଉଛି। ଇ-ଲାଇବ୍ରେରି,  ସାଇନ୍ସ ଲ୍ୟାବ୍ ପାଠ ପଢ଼ିବାରେ ବେଶ୍ ସହାୟକ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ରୂପାନ୍ତରୀଣ କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କ ପାଇଁ ବରଦାନ ସାଜିଛି ବୋଲି ଅର୍ପିତା କହିବା ସହ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପର ମହାନଗର ନିଗମ କମିସନର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ଵରୀ ଦୋରା, ଡେପୁଟି ମେୟର ଇ. ବିବେକ ରେଡ଼ୀଙ୍କ ସମେତ ମହାନଗର ନିଗମର କର୍ପୋରେଟର, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର