ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୫୧,୫୪,୧୧୫ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଏବଂ ସହରାଞ୍ଚଳର କୃଷକଙ୍କୁ ୧୦୪୧କୋଟି ଟଙ୍କାର ସିଏମ୍‌ କିଷାନ ସହାୟତା ପ୍ରଦାନ କରିଛନ୍ତି। ଓୟୁଏଟି ଶିକ୍ଷାସଦନଠାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ  ପକ୍ଷରୁ ଏକ ରାଜ୍ୟସ୍ତରୀୟ ଉତ୍ସବରେ ରବି ୨୦୨୫-୨୬ ପାଇଁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ପରେ ଚାଷ ଓ ଚାଷୀଙ୍କୁ ଗୁରୁତ୍ବ ଦିଆଯାଇଛି। ଯେଉଁଥି ପାଇଁ ଚାଷୀଙ୍କ ବାର୍ଷିକ ଆୟରେ ୫୮ହଜାର ଟଙ୍କା ବୃଦ୍ଧି ପାଇଛି। ୧୪ମାସ ତଳେ ଚାଷୀଙ୍କ ଆୟ ଦୃଷ୍ଟିରୁ ଓଡ଼ିଶାର ଚାଷୀ ‌ସାରା ଦେଶରେ ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ଥିଲେ। କିନ୍ତୁ ଏବେ ବହୁତ ଉନ୍ନତି ହୋଇଛି। ଆମ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ସମୃଦ୍ଧ କୃଷକ ଯୋଜନାକୁ ଅନୁମୋଦନ କରାଯାଇଥିଲା। ଏଥିରେ ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ୍‌ ପିଛା ୩୧୦୦ ଟଙ୍କାରେ କିଣାଯାଉଛି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି। ଯେମତି ଜଣେ ବି ଚାଷୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ। 

Advertisment

ଚାଷୀଙ୍କ ବାର୍ଷିକ ଆୟ ୫୮ହଜାର ଟଙ୍କା ବଢ଼ିଛି
ଅନ୍ନଦାତାଙ୍କ ଉନ୍ନତି ବିନା ପ୍ରଗତି ଅସମ୍ଭବ
କୃଷକ ପଞ୍ଜୀକରଣ ଅବଧି ବଢ଼ିବ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧିର ହିସାବ ଦେଇ କହିଛନ୍ତି, ସମୃଦ୍ଧ କୃଷକ ଯୋଜନାରେ ବର୍ଷକରେ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ୍ ଧାନ କିଣାଗଲା। ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ୭୫୩୭ କୋଟି ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି ଦିଆଯାଇଛି। ଏହି ଗୋଟିଏ ପଦକ୍ଷେପ ଦ୍ବାରା ପଞ୍ଜୀକୃତ ଚାଷୀ ପରିବାରର ଆୟରେ ୩୮ ହଜାର ଟଙ୍କା ବୃଦ୍ଧି ପାଇଲା। ଦ୍ବିତୀୟରେ ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା, ତୃତୀୟରେ ସିଏମ୍‌ କିଷାନ ଓ ପିଏମ୍ କିଷାନ ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଉଛି। ଏହିପରି ଚାଷୀଙ୍କର ବାର୍ଷିକ ଅାୟ ୫୮ ହଜାର ଟଙ୍କା ବଢ଼ିଛି। ସେହିପରି ଫସଲର ସୁରକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅନେକଗୁଡ଼ିଏ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପରିବର୍ତ୍ତିତ ଜଳବାୟୁ ତଥା ବିଳମ୍ବିତ ମୌସୁମୀକୁ ସମ୍ମୁଖୀନ ହୋଇ ନିଶ୍ଚିତ ଫସଲ ଅମଳ ପାଇବା ପାଇଁ ଫସଲ ବିବିଧୀକରଣ ଭଳି ଯୋଜନା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଉଛି। ଆଳୁ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ପାଇଁ ୩୧୧୫ଟି କ୍ଲଷ୍ଟର୍‌ରେ ୩୬ ହଜାରରୁ ଅଧିକ ଚାଷୀ ସଚେତନତା କାର୍ଯ୍ୟକ୍ରମ କରାଯାଇ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଆଳୁ ଚାଷରେ ସାମିଲ କରାଯାଇଛି। 
ଏହା ବାଦ୍ ରାଜ୍ୟର ପ୍ରତ୍ୟେକ ଉପଖଣ୍ଡରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ସ୍ଥାପନ ନିମନ୍ତେ ଆର୍ଥିକ ସହାୟତା ଯୋଜନା ଗତ ଜାନୁଆରିରୁ ଆରମ୍ଭ ହୋଇଛି। ଯୁବ କୃଷି ଉଦ୍ୟୋଗୀମାନଙ୍କୁ ବ୍ୟବସାୟଭିତ୍ତିକ ଭିତ୍ତିଭୂମି ପ୍ରତିଷ୍ଠା ସହ ନିଜର ଆର୍ଥିକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ଜରିଆରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦ୍‌ଘାଟନ କରିଥିଲେ। କୃଷକ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ  ଖୁବ ଶୀଘ୍ର ଘୋଷଣା ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ।

ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ରାଜ୍ୟରେ କୃଷି ଓ କୃଷକର ଉନ୍ନତି ସାଧନ ନିମିତ୍ତ ସରକାର ଅଙ୍ଗୀକାରବଦ୍ଧ। ସମସ୍ତ ଅଭାବୀ ଚାଷୀକୁଳକୁ କିଛିଟା ଆର୍ଥିକ ସ୍ୱାବଲମ୍ବୀ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ସିଏମ୍‌ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଅନ୍ତର୍ଭୁକ୍ତ ହେଲେ କୃଷି ଓ କୃଷକର ଉନ୍ନତି ହୋଇପାରିବ।
କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା ଧନ୍ୟବାଦ ଦେଇଥିଲେ।