ବିଧାନସଭା ବୈଠକ ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଠିକ୍ ନୁହେଁ: ବିଜେପି

ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭଙ୍କର ନୁହେଁ: ସମୀର ମହାନ୍ତି
ବିଜେଡିଠାରୁ ସ୍ପଷ୍ଟୀକରଣ ମାଗିଲେ ମୋହନ

ଭୁବନେଶ୍ବର : ଜୁନ୍‌ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍‌ ଓ ଦୁବାଇ ଗସ୍ତରେ ଯିବେ। ଗସ୍ତସୂଚୀ ନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଗସ୍ତ ଆପାତତଃ ଚୂଡ଼ାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ବିଦେଶ ଯିବାର ୪ ଦିନ ପରେ ଅର୍ଥାତ ଜୁଲାଇ ୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାର ସମ୍ଭାବନା ରହିଛି। ସେ ବିଦେଶରୁ ଭର୍ଚୁଆଲ୍‌ ମାଧ୍ୟମରେ ଯୋଡ଼ି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏହାକୁ ନେଇ ବିଜେପି ଆପତ୍ତି ଉଠାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହାକୁ ସମାଲୋଚନା କରିଛନ୍ତି।

The New Indian Express

ଶ୍ରୀ ମହାନ୍ତି ରବିବାର ଦିନ ଟୁଇଟ୍ କରିଛନ୍ତି ଯେ ଆସନ୍ତା ବିଧାନସଭା ମୌସୁମୀ ବଜେଟ୍ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଡ଼ି ହୋଇପାରନ୍ତି ବୋଲି ଏକ ଇଂରାଜୀ ଖବରକାଗଜରେ ପ୍ରକାଶ ପାଇଛି। ଏହି ଖବର ସତ୍ୟ ହୋଇଥିଲେ ଚିନ୍ତାଜନକ। ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା। ଅଧିବେଶନ ସମୟରେ ଗୃହରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ନରହିବା ଗ୍ରହଣୀୟ ନୁହେଁ। ଭର୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ। ବିଧାନସଭା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗଣତନ୍ତ୍ରର ମନ୍ଦିର। ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗୃହରେ ଆଲୋଚନା ହୋଇଥାଏ। ଗଣତନ୍ତ୍ରକୁ ସମ୍ମାନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ବେଳେ ପ୍ରତ୍ୟକ୍ଷ ଭାବରେ ଗୃହରେ ରହିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Facebook

 

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ବିଧାନସଭା ଅଧିବେଶନ ସମୟରେ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ବିଧାୟକଙ୍କ ମାଧ୍ୟମରେ ସେମାନଙ୍କ ପ୍ରଶ୍ନ ପଚାରିଥା’ନ୍ତି ଏବଂ ସରକାର ତାହାର ଯଥାଚିତ ଉତ୍ତର ଦେଇଥା’ନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିଥା’ନ୍ତି। ଠିକ୍‌ ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଯିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡ଼ିଶାକୁ ଶିଳ୍ପ ଆଣିବା ନାଁରେ ଅନେକଥର ବିଦେଶ ଯାଇଛନ୍ତି କିନ୍ତୁ ତାର ଫଳ ଆପଣଙ୍କ ସାମ୍ନାରେ। ମୁଖ୍ୟମନ୍ତ୍ରୀ ରୋମ୍‌ରୁ ଥାଇ ବଜେଟ୍ ଅଧିବେଶନରେ ଯୋଗ ଦେବେ ନା ବଜେଟ୍ ଅଧିବେଶନରୁ ଦୂରେଇ ରହିବେ ସେ ବିଷୟରେ ବିଜୁ ଜନତା ଦଳ ସ୍ପଷ୍ଟ କରୁ ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର