ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ ରାଜ୍ୟବାସୀଙ୍କୁ ଦୁର୍ଗାପୂଜା ଲାଗି ଅଭିନନ୍ଦନ ଜଣାଇଛନ୍ତି। ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି। ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା । ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ ।ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ବଜାୟ ରଖୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର ।’
ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କୋଭିଡ୍ ପଜିଟିଭ୍ ମାମଲା କମିବା ଆରମ୍ଭ କରିଛି।ସେପଟେମ୍ବର ୨୬ରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି। ପଜେଟିଭିଟି ହାର ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ୍ ଥିଲା । ପ୍ରତିଦିନ ଶହ ଶହ ପଜିଟିଭ୍ ମାମଲା ବାହାରୁଥିଲା । ଲୋକଙ୍କ ସହଯୋଗ, ସାମୁହିକ ଯୋଗଦାନ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ହୋଇଛନ୍ତି। କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର କ୍ୟାରେକଟର ପ୍ରୋଫାଇଲ୍ ବହୁତ କ୍ରିଟିକାଲ୍ । ତେଣୁ ଆମକୁ ଔଷଧ ଓ ଟିକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ।’
/sambad/media/post_attachments/wp-content/uploads/2020/09/naveen-patnaik-ffvb.jpg)
ଆପଣ ୟୁରୋପୀୟ ଦେଶର କଥା ଦେଖନ୍ତୁ । ଇଂଲଣ୍ଡ, ଫ୍ରାନ୍ସ ଓ ସ୍ପେନ୍ ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା’ ପରେ କରୋନା ଟିକେ କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବହୁତ ବଢ଼ି ଯାଇଛି। ଆରମ୍ଭ ଏହା ପୂର୍ବଠାରୁ ଅଧିକ ଭୟଙ୍କର। ସେପଟେମ୍ବର ୧ରେ ଇଂଲଣ୍ଡରେ ବାରଶହରୁ ଅଧିକ ପଜିଟିଭ୍ ମାମଲା ଥିଲା । ୮ ଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି ଫ୍ରାନ୍ସରେ ଅଗଷ୍ଟ ୩୧ରେ ତିନି ହଜାରରୁ ଅଧିକ ପଜିଟିଭ୍ ମାମଲା ଥିବାବେଳେ ଅକ୍ଟୋବରରେ ଏହା ୨୬ ହଜାରରୁ ଅଧିକ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏଥିସହ ସେ କହିଛନ୍ତି, ଆମ ଭାରତ କଥା ଦେଖନ୍ତୁ । ଆମେରିକା ପରେ ଭାରତ ଏବେ ବିଶ୍ବରେ ଦୁଇ ନମ୍ବର ସ୍ଥାନରେ ରହିଛି। କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ ଓନମ୍ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି । ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟର ସର୍ବସାଧାରଣସ୍ଥାନରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରର୍ଥନା କରନ୍ତୁ। ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ । ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା। ଆମ ପରିବାର ହଇରାଣ ହେବ। ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ । ତେଣୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ଆସନ୍ତୁ। ମା’ଙ୍କ ପାଖରେ ଶପଥ ନେଇ କାମ କରିବା। ଆପଣ ଓ ଆପଣଙ୍କ ପରିବାରକୁ ପୁଣି ଥରେ ପୂଜା ପାଇଁ ଅଭିନଦନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Naveen-dussehra-20_Thumb.jpg)