ଭୁବନେଶ୍ବର: ଫସଲ ବୀମା, ଇନପୁଟ୍ ସବସିଡି, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ୟାକେଜ ଘୋଷଣା ଆଉ ଏକ ମିଥ୍ୟା। କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ପୋଡ଼ା ଘା’ରେ ଲୁଣ ଦେବା ଭଳି ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କ’ଣ ଆଗରୁ କେନ୍ଦୁପତ୍ର ଶ୍ରମିକମାନେ ସାମିଲ ନଥିଲେ? ଏବେ ସାମିଲ ହେଲେ ବୋଲି ଘୋଷଣା କରାଗଲା। ଏହା ବିଜେଡି ସରକାରଙ୍କର ଆଉ ଏକ ମିଛ ଘୋଷଣା। ସାଧାରଣ ପିଲାଙ୍କ ପାଇଁ ମିଳୁଥିବା ଛାତ୍ରବୃତ୍ତିରୁ ବଞ୍ଚିତ ଥିଲେ କି କେନ୍ଦୁପତ୍ର ଶ୍ରମିକଙ୍କ ପିଲାମାନେ?
ରାଜ୍ୟ ସରକାର କେନ୍ଦୁପତ୍ରରୁ ୨୦୦ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି। କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫ୍ଙ୍କୁ ରାଜ୍ୟ ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ଜାନୁଆରୀ ୧୩, ୨୦୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫ୍ଙ୍କ ଚାକିରି ସର୍ତାବଳୀ ଲାଗୁ ହେବ ବୋଲି ଘୋଷଣା କରିଥିଲେ। ସେ ଘୋଷଣା କୁଆଡ଼େ ଗଲା? ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯% ଜିଏସ୍ଟି ଟିକସ ଛାଡ଼ କରି ଉଦାହରଣ ସୃଷ୍ଟି କରନ୍ତୁ। ଜିଏସ୍ଟି କାଉନସିଲ୍ରେ କାହିଁକି ଅର୍ଥ ମନ୍ତ୍ରୀ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଜିଏସ୍ଟି ଛାଡ଼ କରିବା ପାଇଁ ପ୍ରସ୍ତାବ ରଖିନାହାନ୍ତି? ଜିଏସ୍ଟି କାଉନସିଲ ବୈଠକରେ ସମର୍ଥନ, ଭୁବନେଶ୍ୱରରେ କାହିଁକି ବିରୋଧ? ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି? କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ କାହିଁକି ସଂପୂର୍ଣ୍ଣ ବନ୍ଦ କରିଥିଲେ? କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଶତ ପ୍ରତିଶତ ବୋନସ୍, ସିଜନାଲ ଷ୍ଟାଫ୍ ଓ ବନ୍ଧାଳୀଙ୍କୁ ୪୦% ପ୍ରୋତ୍ସାହନ ଭତ୍ତା, ଝିଅ ବାହାଘର ସହାୟତା କେବେ ଦେବେ ମିଳିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।