ବରଗଡ଼: ଗତ ୧୯ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାର ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ଏହି ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ରେ ସମାବେଶରେ ଯୋଗ ଦେଇ ୧୭୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ଜନତାଙ୍କୁ ଧନ୍ୟବାଦ ଦେବାକୁ ମୁଖ୍ୟମନ୍ତ୍ରୀ ଆସିଥିଲେ। ମାତ୍ର ଦୁଇ ସପ୍ତାହ ପରେ ଅର୍ଥାତ ଆସନ୍ତା ୫ ତାରିଖ ମୁଖ୍ୟମନ୍ତ୍ରୀ ପୁନର୍ବାର ବରଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି। ଯାହା ସଅଳ ନିର୍ବାଚନକୁ ଇଂଗିତ କରୁଛି ବୋଲି ଚାରିପଟେ ଚର୍ଚ୍ଚା। ଏହାକୁ ବି ସରକାରୀ କାର୍ଯ୍ୟକ୍ରମ ବୋଲି ମାନ୍ୟତା ମିଳିଛି। ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ସୋହେଲା ବ୍ଲକ୍ ହଳଦୀପାଲିଠାରେ ସମାବେଶରେ ଯୋଗ ଦେବେ। ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ।
ବରଗଡ଼ ଜିଲ୍ଲାରୁ ସେ ନୂଆପଡ଼ା ଜିଲ୍ଲା ଗସ୍ତ କରିବେ। କିନ୍ତୁ ସୋହେଲା ବ୍ଳକ୍ରୁ ସେ ସ୍ବତନ୍ତ୍ର ବସ୍ ଯୋଗେ ଘେଁସ୍ ପର୍ଯ୍ୟନ୍ତ ରୋଡ୍ ସୋ' କରିବେ। ବାଇକ୍ ରାଲି ମଧ୍ୟ ଆୟୋଜନ କରିବାକୁ ବିଜେଡି ଯୋଜନା ଚୂଡ଼ାନ୍ତ କରିଛି। ସୋହେଲାରୁ ଘେଁସ୍ ସଡ଼କ ପଥରେ ଦୂରତା ହେଲା ୨୪ କିଲୋମିଟର୍। ଏହି ପଥକୁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ବସ୍ରେ ଯାତ୍ରା କରିବା ସହ ବାଟରେ ରୋଡ୍ ସୋ' ବି କରିବେ। ତେଣୁ ଏହାକୁ ପ୍ରାକ୍ ନିର୍ବାଚନୀ ପ୍ରଚାର ବୋଲି କିଛି ସମୀକ୍ଷକ ମତ ରଖୁଛନ୍ତି। ସାଧାରଣତଃ, ମୁଖ୍ୟମନ୍ତ୍ରୀ ଦୂରରେ ଥିବା ସଭାସ୍ଥଳକୁ ହେଲିକପ୍ଟରରେ ଯାଇଥାନ୍ତି। କିନ୍ତୁ ରୋଡ୍ ସୋ’ କରି ୨୪ କିଲୋମିଟର୍ ସଡ଼କ ପଥରେ ଯିବା ପୂର୍ବରୁ କେବଳ ନିର୍ବାଚନଗୁଡ଼ିକର ପ୍ରଚାର ବେଳେ ଦେଖିବାକୁ ମିଳିଛି। ତେଣୁ ଆଗାମୀ ବରଗଡ଼ ଜିଲ୍ଲାଗସ୍ତ ପ୍ରାକ୍ ନିର୍ବାଚନ ପ୍ରସ୍ତୁତିକୁ ସୂଚାଉଛି ବୋଲି କୁହାଯାଉଛି। କିଛି ଦିନ ତଳେ ଭୁବନେଶ୍ବରକୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଅଚାନକ ଡକରା ପଡ଼ିଥିଲା। ଏହି ବୈଠକରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। କିଛି ଦଳୀୟ ନେତା ଶୀଘ୍ର ନିର୍ବାଚନ କରିବାକୁ ମତ ରଖିଥିଲେ। ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିଲେ ହେଁ ସଅଳ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ ବୈଠକରେ ସୂଚିତ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ସପ୍ତାହ ଭିତରେ ଦ୍ବିତୀୟ ବାର ବରଗଡ଼ ଗସ୍ତ ସହ ରୋଡ୍-ସୋ' ସଅଳ ନିର୍ବାଚନ ପ୍ରସ୍ତୁତିର ଏକ ପ୍ରକ୍ରିୟା ବୋଲି ଯୁକ୍ତି ଉଠିଛି।