ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି। ଏହି ଦୁଇଦିନିଆ ଗସ୍ତ ସମୟରେ ସେ ଜିଲ୍ଲାର ୮୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଇଁ ସେ ୮୯୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ୍ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର୍ ରନୱେର ଉନ୍ନତୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହାଦ୍ବାରା ଉକ୍ତ ଏୟାରଷ୍ଟ୍ରିପ୍ ୨-ବି ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ବଲାଙ୍ଗୀର-ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନଯାତ୍ରା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପ୍ରସ୍ତାବିତ ବେଲପଡ଼ା ବ୍ଲକ୍ର ଅପର ଲାନ୍ଥ ଜଳସେଚନ ପ୍ରକଳ୍ପର ଉନ୍ନତୀକରଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଆମ ସରକାର ଓଡ଼ିଶାର ଜଳସେଚନ ହାର କମ୍ ଥିବା ସବୁ ବ୍ଲକ୍ରେ ଅଧିକ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଉଛି। ଅପର୍ ଲାନ୍ଥ ପ୍ରକଳ୍ପ ଏହି ପରିକଳ୍ପନାର ଏକ ଅଂଶ।
ତୁଷୁରା ଏୟାର୍ଷ୍ଟ୍ରିପ୍ର ଉନ୍ନତୀକରଣ, ଅପର ଲାନ୍ଥ ଜଳସେଚନ ପାଇଁ ଭିତ୍ତିପ୍ରସ୍ତର
ଲୋୟର୍ ସୁକ୍ତେଲ୍ ନେଇ ବିଜେଡିକୁ ଟାର୍ଗେଟ୍
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଉଭୟ ଖରିଫ ଏବଂ ରବି ଋତୁରେ ୧୫ ହଜାର ଏକରରୁ ଅଧିକ ଜମି ଜଳସେଚିତ ହେବ। ବେଲପଡ଼ା ବ୍ଲକ୍ର ୨୫ଟି ଗାଁର ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋୟର୍ ସୁକ୍ତେଲ୍ ପ୍ରକଳ୍ପ ନେଇ ତତ୍କାଳୀନ ବିଜେଡି ସରକାରକୁ ଟାର୍ଗେଟ୍ କରିଥିଲେ। କହିଥିଲେ, ଲୋୟର୍ ସୁକ୍ତେଲ୍ ପ୍ରକଳ୍ପର ସ୍ଥିତି ଘୋଡ଼ାକୁ ଘାସ ଜଗାଇବା କଥା। ଏହି ପ୍ରକଳ୍ପରୁ ପ୍ରବଳ ବାଟମାରଣା ହୋଇଛି। ପ୍ରକଳ୍ପ ଟଙ୍କାରେ ନେତା ଓ ଅଧିକାରୀ ଘର, ଜମିବାଡ଼ି, ଫାର୍ମହାଉସ୍ କରିଛନ୍ତି। ତେଣୁ ପ୍ରକଳ୍ପରୁ ପାଣି ଆସିବ କେଉଁଠୁ? ସେହି ଭୁଲ୍ ବିଜେପି ସରକାର କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହା ପରେ ପାଟଣାଗଡ଼ଠାରେ ନବନିର୍ମିତ ଉପଖଣ୍ଡ ଚିକିତ୍ସାଳୟ ଓ ଡାଏଲିସିସ୍ କେନ୍ଦ୍ରର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ୧୧୮ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା ପାଟଣାଗଡ଼ ବାଇପାସ୍ର ଭିତ୍ତିପ୍ରସ୍ତର, ବଲାଙ୍ଗୀରରେ ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ସର୍କିଟ୍ହାଉସ୍କୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ବଲାଙ୍ଗୀର ଦିନ୍’ ସମାରୋହରେ ଯୋଗ ଦେଇଥିଲେ।