ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସମାବେଶ, ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

ବିଜୁବାବୁଙ୍କ ‘ସବା ସାନ ପିଲା’ ସଶକ୍ତ ହେଉଛି, ୨୪୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ

ନୂଆପଡ଼ା/ଖଡ଼ିଆଳ=: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତ କରିବା ସହ ବହୁପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଫଳରେ ନୂଆପଡ଼ା ଜିଲ୍ଲାର କୋମନା, ଖଡ଼ିଆଳ ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକର ୨୦୦ ଟି ଗାଁର ୧,୮୦,୦୦୦ ଲୋକ ଉପକୃତ ହେବେ ବୋଲି କୁହାଯାଇଛି। ଏଥିସହ ଜିଲ୍ଲାରେ ୨୩୩୭.୧୫ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିବା ସହ ୫୦.୨୯ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବିଜୁବାବୁଙ୍କ ଦୃଷ୍ଟ‌ିରେ ଓଡ଼ିଶା ମା’ର ସବୁଠାରୁ ସାନ ପିଲା ନୂଆପଡ଼ାର ଏବେ ରୂପାନ୍ତର ହୋଇଛି। ସେ ଦୂରରେ ଥିଲେ ମଧ୍ୟ ନୂଆପଡ଼ା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ସ୍ବାଧୀନତା ସଂଗ୍ରାମରେ ନୂଆପଡ଼ା ଭେଲା ଗ୍ରାମର ମହିଳାମାନଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଏଠାରେ ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ହେବ ବୋଲି ଘୋଷଣା କରିଛନ୍ତି।

ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୯୩ ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କଲେ। କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ। ସେତେବେଳେ ବିଜୁବାବୁ କହିଥିଲେ ଯେ ନୂଆପଡ଼ା ଓଡ଼ିଶା ମା’ର ସବୁଠାରୁ ସାନ ପିଲା। ସେ ପୁଣି ଦୂରରେ ଅଛି, ସବୁ ବାପା ମା’ ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି ମୁଁ ମଧ୍ୟ ସେପରି ନୂଆପଡ଼ାକୁ ସ୍ବତନ୍ତ୍ର ଧ୍ୟାନ ଦେଉଛି। ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି, ବିଜୁ ଏକ୍ସପ୍ରେସ ୱେରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡ଼ା। ୬୮୦ କୋଟି ଟଙ୍କାରେ ୧୩୨ କିମି ରାସ୍ତା କେବଳ ନୂଆପଡ଼ା ଜିଲ୍ଲାରେ ହିଁ ହୋଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରାଜ୍ୟର ବଡ଼ବଡ଼ ସହରର ହସ୍ପିଟାଲ୍‌ ଠାରୁ କିଛି କମ୍‌ ନୁହେଁ। କେବଳ କୃଷି ନୁହେଁ, ନୂଆପଡ଼ା ଜିଲ୍ଲା ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ମଧ୍ୟ ବେଶ୍ ସଫଳତା ପାଇଛି। ଆଗରୁ ଜିଲ୍ଲାରେ ଫ୍ଲୋରାଇଡ୍‌ଯୁକ୍ତ ପାଣି ଏକ ବଡ଼ ସମସ୍ୟା ଥିଲା। ଏହାର ଦୂରୀକରଣ ପାଇଁ ୧୦୦୦ରୁ ଅଧିକ ଫ୍ଲୋରାଇଡ୍‌ ଦୂରୀକରଣ ପ୍ଲାଣ୍ଟ ଲଗା ଯାଇଛି ଓ ୯୦୦ ଗ୍ରାମକୁ ଫ୍ଲୋରାଇଡ୍‌ମୁକ୍ତ
କରାଯାଇଛି। ୨୦୨୨ ମସିହା ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ପହଞ୍ଚି ପ୍ରଥମେ ତିଖାଲିରେ ୧୯୨୫ କୋଟି ୬୩ ଲକ୍ଷ ଟଙ୍କରେ ନିର୍ମିତ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ପରେ ଖଡ଼ିଆଳ ରାଜାଏଟି ସ୍କୁଲ୍‌ରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହାସହ ଜିଲ୍ଲାରେ ୫୦ କୋଟି ୨୯ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏସବୁକୁ ମିଶାଇ ପ୍ରାୟ ୪ହଜାର କୋଟିର ପ୍ରକଳ୍ପ ଲୋକାର୍ପଣ ସହ ଶିଳାନ୍ୟାସ ହୋଇଛି। ଜିଲ୍ଲାରେ ୩କୋଟି ଟଙ୍କା ବ୍ୟୟରେ ଏକ ମ୍ୟୁଜିୟମ୍‌ ଏବଂ ସାଇନ୍ସ ପାର୍କ ସମେତ ନୂଆପଡ଼ା ଏବଂ ଖଡ଼ିଆରରେ ଇନ୍‌ଡୋର ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜା ଏଟି ହାଇସ୍କୁଲରେ ଅନୁଷ୍ଠିତ ସଭାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜଳସମ୍ପଦ ବିଭାଗ ମୁଖ୍ୟ ସଚିବ ଅନୁ ଗର୍ଗ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ଆଜିର ଦିନ ଜିଲ୍ଲା ପାଇଁ ଐତିହାସିକ ଦିନ ବୋଲି ସଭାରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ। ଜିଲ୍ଲାର ୫ଟି ବ୍ଲକ୍‌ର ୧୨ଟି ସର୍କଲର ୧୩୧ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ୬ଜଣ ମନ୍ତ୍ରୀ ଓ ୪୦ ଜଣ ବିଧାୟକ ଏଥିପାଇଁ ଦାୟିତ୍ବ ନେଇଥିଲେ। ଲୋକମାନଙ୍କ ପାଇଁ ଘୁମୁରା, ଡାଲଖାଇ, ପୁଜିଇତା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତି ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର