ଭୁବନେଶ୍ବର: ରାଜ୍ୟର ସାମୟିକ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ଭେଟି ଦେଇଛନ୍ତି। ଏଣିକି ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ସମୟରେ ଏକକାଳୀନ ଅଢ଼େଇ ଲକ୍ଷ ଟଙ୍କା ମିଳିବ। ପୂର୍ବରୁ ଏହା ଦେଢ଼ଲକ୍ଷ ଟଙ୍କା ଥିବାବେଳେ ମୁଖ୍ୟମନ୍ତ୍ରୀ ଏକସଙ୍ଗେ ୧ଲକ୍ଷ ଟଙ୍କା ବଢ଼ାଇଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।

Advertisment

କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା
ପ୍ରତି ଦୁଇ ବର୍ଷରେ ୧୦% ବୃଦ୍ଧି ପାଇବ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବିକୁ ଯାଇଥିବେ, କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ୨.୫ ଲକ୍ଷ ଟଙ୍କା ଏକକାଳୀନ ମିଳିବ। ନିୟମିତ ପଦବିରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି ବାବଦକୁ ୨.୫ ଲକ୍ଷ ଟଙ୍କା ପାଇବେ। ଏହା ସହିତ ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦% ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପାଇଁ କୌଣସି ବିଭାଗକୁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡ଼ିବ ନାହିଁ। ବିଭାଗଗୁଡ଼ିକ ନିଜ ସ୍ତରରେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ।