ପଦାରେ ପଡ଼ିଲା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଟଙ୍କା ହଡ଼ପ ମସୁଧା: ନକଲି ରୋଗୀଙ୍କ ନାଁରେ ତିଆରି ହେଉଛି ଅସଲି ବିଲ୍

ଆମ୍ରି ହସ୍ପିଟାଲର ସହକାରୀ ମ୍ୟାନେଜର ଗିରଫ, ରାକେଟ୍‌‌ରେ ସମ୍ପୃକ୍ତ ଦଲାଲ ଫେରାର୍

ଭୁବନେଶ୍ବର : ରାଜଧାନୀରେ ଚାରିଆଡ଼େ ମାତିଛନ୍ତି ଠକ ଓ ଦଲାଲ୍। ଏପରିକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ବି ଛାଡ଼ୁ ନାହାନ୍ତି। ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ନକଲି ରୋଗୀଙ୍କ ନାଁରେ ଅସଲି ବିଲ୍ ତିଆରି କରି ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ଟଙ୍କା ହଡ଼ପ କରିବା ମସୁଧା ପଦାରେ ପଡ଼ିଛି। ଏହି ରାକେଟରେ ସମ୍ପୃକ୍ତ ଆମ୍ରି ହସ୍ପିଟାଲର ସହକାରୀ ମ୍ୟାନେଜର(ଏମ୍‌ଆର୍‌ଡି) ଦିଲ୍ଲୀପ ବେହେରାକୁ ପୁଲିସ ଗିରଫ କରିଛି। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ। ତେବେ ଏହି ଠକେଇରେ ସମ୍ପୃକ୍ତ ଦଲାଲ୍ ପ୍ରଦୀପ ମଲ୍ଲିକ ଓ ଅନ୍ୟ କେତେଜଣ ଫେରାର୍ ହୋଇ ଯାଇଛନ୍ତି। ଏଥିରେ ସମ୍ପୃକ୍ତ ଘରୋଇ ହସ୍ପିଟାଲର ଆଉ କୌଣସି କର୍ମଚାରୀ କିମ୍ବା ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ତାହା ଦଲାଲ୍ ଧରାପଡ଼ିବା ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି। ଗୋଟିଏ ହସ୍ପିଟାଲର ଏଭଳି କାର୍‌ନାମା ପଦାକୁ ଆସିଥିବାବେଳେ ଆଉ କେଉଁ ହସ୍ପିଟାଲକୁ ଏହି ଜାଲିଆତିର ଚେର ଲମ୍ବିଛି କି ନାହିଁ ତାକୁ ନେଇ ଚାଲିଛି ତନାଘନା।

ପୁଲିସର ସୂଚନା ଅନୁସାରେ, ନକଲି ରୋଗୀଙ୍କ ନାଁରେ ଏମାନେ ବିଲ୍ ତିଆରି କରୁଥିଲେ। ପୂର୍ବରୁ ଚିକିତ୍ସିତ ହୋଇ ଡିସଚାର୍ଜ ହୋଇଥିବା ସାଧାରଣ ରୋଗୀଙ୍କ ବିଲ୍ ରଖି ଦେଉଥିଲେ। ଆଉ ଗରିବ ରୋଗୀଙ୍କର ଆୟ ପ୍ରମାଣପତ୍ର, ଆଧାରକାର୍ଡ, ଫଟୋ ସଂଗ୍ରହ କରି ତାଙ୍କ ନାଁ ସେହି ବିଲ୍‌ରେ ଚଢ଼ାଇ ଦେଉଥିଲେ। ପରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସାହାଯ୍ୟ ପାଇଁ କାଗଜପତ୍ର ପଠାଉଥିଲେ। ଆଉ ରିଲିଫ୍‌ ପାଣ୍ଠିରୁ ଟଙ୍କା ମଞ୍ଜୁର ହୋଇ ଆସିଲେ ଯେଉଁ ନକଲି ରୋଗୀଙ୍କ କାଗଜପତ୍ର ସଂଗ୍ରହ କରି ବିଲ୍ ତିଆରି କରୁଥିଲେ ସେମାନଙ୍କୁ କିଛି ଟଙ୍କା ଦେଇ ବାକି ଟଙ୍କା ହଡ଼ପ କରି ନେଉଥିଲେ। ଏହି ରାକେଟର ସମ୍ପୃକ୍ତ ଦଲାଲ ପ୍ରଦୀପ ମଲ୍ଲିକ ନିଜକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିର ଏଜେଣ୍ଟ ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଏସବୁ ସଂଗ୍ରହ କରୁଥିଲା।

ପ୍ରାୟ ୪ ମାସ ତଳେ ରବୀନ୍ଦ୍ର କୁମାର ପରିଡ଼ା, ପ୍ରଭାତୀ ସାହୁ, ଦାମ ମୁଦୁଲି ପ୍ରମୁଖ ରୋଗୀ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦର୍ଶାଯାଇ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ଲାଗି ଆବେଦନ କରାଯାଇଥିଲା। ତେବେ ସିଏମ୍‌ଆରଏଫ୍ ପକ୍ଷରୁ ଏହି ତିନିଜଣଙ୍କ ତଥ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯାଞ୍ଚ ପାଇଁ ପଠା ଯାଇଥିଲା। କିନ୍ତୁ ଏଭଳି କୌଣସି ରୋଗୀ ସେହି ହସ୍ପିଟାଲରେ ଚିକିତ୍ସିତ ହେଉ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ସମୟରେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସ୍ଓ) ଆଶିଷ କୁମାର ମାଝୀ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଆଇପିସି ଦଫା-୪୨୦, ୪୬୫, ୪୬୮, ୩୪ରେ ମାମଲା ରୁଜୁ କରି ସହକାରୀ ମ୍ୟାନେଜର ଦିଲ୍ଲୀପ ବେହେରାକୁ ଗିରଫ କରିଥିଲା। ଏହି ରାକେଟ୍‌ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ତାଲିଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର