ଭୁବନେଶ୍ବର: ସ୍ଵଛତା ହିଁ ସେବା। ଏନେଇ ବିଏମସି ପକ୍ଷରୁ ଗଣ ସଫେଇ ଅଭିଯାନ ଆୟୋଜିତ ହୋଇଛି। ଏକ ଦିନ, ଏକ ଘଣ୍ଟା, ଏକାସାଥିରେ ନାରା ଦେଇ ଶହଶହ ସଫେଇ କର୍ମଚାରୀ ଏକାଠି ହୋଇଛନ୍ତି। ପରିବେଶ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା। ଏହି ଆହ୍ୱାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ସମ୍ମୁଖରେ ଗଣ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି ଗଣ ସଫେଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ସେ ବୃକ୍ଷରୋପଣ କରିବା ସହ ଲିଙ୍ଗରାଜମନ୍ଦିର ସମ୍ମୁଖ ଦେବୀ ପାଦହରା ପୋଖରୀ ସମ୍ମୁଖରେ ଝାଡୁ ମାରି ସଫେଇ କରିଥିଲେ।
ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଏବଂ ସେବା ପକ୍ଷ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ@narendramodi ଜୀଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଆୟୋଜିତ ଗଣସଫେଇ ଅଭିଯାନରେ ଯୋଗଦେଲି। ଏହି ଅବସରରେ ସ୍ଥାନୀୟ ନାଗରିକମାନଙ୍କ ସହ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ସଫେଇ କରିବା ସହ ବୃକ୍ଷ ରୋପଣ ମଧ୍ଯ କଲି… pic.twitter.com/ZZg5eg8Ytc
— Mohan Charan Majhi (@MohanMOdisha) September 25, 2025
ଘରୋଇ ବର୍ଜ୍ୟର ପୃଥକୀକରଣରେ ଉନ୍ନତି ଆଣିବା ଏବଂ ପୃଥକୀକରଣକୁ ମାନି ନିୟମିତ ଓଦା ଶୁଖିଲା ବର୍ଜ୍ୟକୁ ପୃଥକ ଭାବେ ଦେଉଥିବା ପରିବାରଙ୍କୁ ପ୍ରଶଂସା କରିବା ସହିତ ଅନ୍ୟମାନେ ବର୍ଜ୍ୟ ପୃଥକ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଯେଉଁମାନେ ଓଦା, ଶୁଖିଲା ସଠିକ ଭାବେ ପୃଥକ କରି ଦେଉଛନ୍ତି ସେମାନଙ୍କୁ ଗ୍ରୀନ ବା ସବୁଜ ଟୋକେନ ଏବଂ ଯେଉଁମାନେ ସେହି ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି, ସେମାନଙ୍କୁ ରେଡ୍ ଟୋକେନ ଦିଆଯାଉଛି। ଗ୍ରୀନ ଟୋକେନ ଅର୍ଥ ଭଲ ଏବଂ ରେଡ ଟୋକେନ ଅର୍ଥ ବର୍ଜ୍ୟ ପୃଥକୀକରଣ କରିଦେବାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି ।
ସ୍ୱଚ୍ଛ ସାଥୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ଯେଉଁମାନେ ଶତ ପ୍ରତିଶତ ବର୍ଜ୍ୟ ପୃଥକ କରି ଦେଉଛନ୍ତି, ସେମାନଙ୍କୁ ଗ୍ରୀନ ଟୋକେନ ଏବଂ ଯେଉଁମାନେ ଶତପ୍ରତିଶତ ପୃଥକ କରି ଦେବାକୁ ଉଦ୍ୟମ ଜାରି ରଖିଛନ୍ତି, ସେମାନଙ୍କୁ ରେଡ୍ ଟୋକେନ ଦେଉଛନ୍ତି। ଏହି ଅଭିଯାନରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।